ଉତ୍ତର ଭୁବନେଶ୍ୱରେ ଭସାଣି ଉତ୍ସବ ଏକ ବିଶୃଙ୍ଖଳିତ ପରିବେଶରେ ପାଳିତ ହେଉଛି |

Oct 5, 2025 - 22:37
 18
ଉତ୍ତର ଭୁବନେଶ୍ୱରେ ଭସାଣି ଉତ୍ସବ ଏକ ବିଶୃଙ୍ଖଳିତ ପରିବେଶରେ ପାଳିତ ହେଉଛି |

ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଉତ୍ତର‌ ଭୁବନେଶ୍ୱରରେ ମା ଦୁର୍ଗାଙ୍କ ଭାସାଣି ମହୋତ୍ସବ ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୨୧ ଟି ମେଢ ଭାଗ ନେଇଥିଲେ । ଡଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ଉଭୟ ପକ୍ଷରେ ଭାଗ ନେଇଥିଲା ବେଳେ ବିଡିଏ କଲୋନୀ ଓ ଶୈଳଶ୍ରୀବିହାର ଫେଜ ୨ ପୂଜା କମିଟି କୌଣସି ଭସାଣି ଉତ୍ସବରେ ଭାଗ ନେଇ ନଥିଲେ । ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଡମଣା ଦୁର୍ଗାପୂଜା ପଡିଆଠାରେ ଚଳିତବର୍ଷ ଭସାଣି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଭସାଣି ଉତ୍ସବରେ ଉତ୍ତର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗିବନ୍ତ, ରଘୁନାଥପୁର, ଶିଖରଚଣ୍ଡୀ ନଗର, ପ୍ରଶାନ୍ତି ବିହାର, ଇଞ୍ଜଣା, ନନ୍ଦନ ବିହାର, ନନ୍ଦନ ଏନକ୍ଲେଭ, ଗାଡକଣ, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ପୂଜା କମିଟିର ମେଢ ଯୋଗ ଦେଇଥିଲେ । ମେଢ଼ ଗୁଡିକ ବିଭିନ୍ନ ପାରମ୍ପରିକ ବାଦ୍ୟ, ଆତସବାଜି ପାରମ୍ପରିକ ନୃତ୍ୟର ତାଳେ ତାଳେ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଭସାଣି କମିଟିର ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ବରିଷ୍ଠ ନେତା ସୁବାସ ପାତ୍ର, ପ୍ରୀତିନନ୍ଦା ରାଉତରାୟ, ଉପଦେଷ୍ଟା ସୁରେଶ ରଥ, ପ୍ରତାପ ରାଉତ, ପ୍ରଦୀପ ଜେନା ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

କମିଟିର ମୁଖ୍ୟ ଉଦ୍ୟୋକ୍ତା ତଥା ୧ ନଂ ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଭସାଣି କମିଟିର ସମ୍ପାଦକ ସନ୍ତୋଷ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନାରେ ଭଗବାନ ଦାଶ, ଚନ୍ଦ୍ରଶେଖର ସାହାଣୀଙ୍କ ସମେତ ଡମଣା ଗ୍ରାମର ଯୁବକମାନେ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ଗାଡକଣ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିଣ୍ଟାଲ ୨୦ କେଜି ଲଡୁ । ଏହାକୁ ନିଲାମ ଡକାଯାଇଥିଲା । ରଘୁନାଥପୁର ପୂଜା କମିଟି ଏହି ଲଡୁଟିକୁ ୧ ଲକ୍ଷ ଟଙ୍କାରେ ନିଲାମ ନେଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ ।

ସେହିପରି ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ପକ୍ଷରୁ ଆୟୋଜିତ ଭସାଣି ଉତ୍ସବରେ ନୀଳାଦ୍ରିବିହାର, ଲୁମ୍ବିନୀ ବିହାର, କୈବଲ୍ୟ ନଗର, ନୀଳମାଧବ ଆବାସ, ରେଲୱେ କଲୋନୀ, ଡଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ, ଡମଣା, ଗଣ୍ଡରପୁର ପୁଜା କମିଟିର ମେଢ ଯୋଗଦାନ କରିଥିଲେ । ଭସାଣି ସମିତିର ସମ୍ପାଦକ ସରୋଜକାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ପୁର୍ବତନ ବିଧାୟକ ତଥା ଭସାଣି କମିଟି ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ର, ସଭାପତି ରଶ୍ମିରେଖା ଜେନା, ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ପରିଚୟ ଫାଉଣ୍ଡେସନର ପ୍ରତି ।ତ୍ରୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର, କର୍ପୋରେଟର ଯଶୋଧାରା ପ୍ରଧାନ, ଅଶୋକ ପାତ, କୁନା ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ଉପଦେଷ୍ଟା ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏଲପିଟିମର ସଦସ୍ୟମାନେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । 

ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ନୀଳାଦ୍ରିବିହାର ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିଣ୍ଟାଲ ୫୦ କେଜି ଲଡୁ । ଏହାକୁ ନିଲାମ ଡକାଯାଇଥିଲା । ଡମଣା ପୂଜା କମିଟି ୪ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଯାଇଥିଲା ବେଳେ ନୀଳାଦ୍ରିବିହାର ପୂଜା କମିଟିଏହି ଲଡୁଟିକୁ ୫ ଲକ୍ଷ ଟଙ୍କାରେ ନିଲାମ ନେଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ । ରାତ୍ରି ୯ ଘଟିକା ସମୟରେ ପଡିଆରୁ ମେଢ଼ ଗୁଡିକ ବାହାରି ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ନାଚର ତାଳେ ତାଳେ କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ ଛକଦେଇ କୁଆଖାଇ ଅଭିମୁଖେ ଯାତ୍ରା କରିଥିଲେ ।

ଏଥିମଧ୍ୟରେ ଘୋଡା ନାଚ, ଘଣ୍ଟପାଟୁଆ, ମାର୍ଦଳ ବାଜା, ଢୋଲବାଜା, ବ୍ୟାଣ୍ଡ ପାର୍ଟି, ଦୁଲ୍‌ଦୁଲି ବାଜା, ଦକ୍ଷିଣୀ ନାଚ, ନିଆଁ ଖେଳ, ସହିତ ବିଭିନ୍ନ ଭଣ୍ଡ ବାବାଙ୍କ ବେଶଧାରି ବ୍ୟକ୍ତିମାନେ ଆତସବାଜି କରୁଥିଲେ । 

ପଡିଆ ଠାରୁ ରାସ୍ତାସାରା ଲୋକମାନେ ଏକତ୍ରିତ ହୋଇ ଏହାର ମଜା ନେଇଥିଲେ । ଶେଷରେ କୁଆଖାଇ ଠାରେ ମାଙ୍କ ମୃଣ୍ମୟ ପ୍ରତିମାଙ୍କୁ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା । 

ପର୍ବ ପର୍ବାଣୀ, ଉତ୍ସବ, ମହୋତ୍ସବ ସମସ୍ତଙ୍କୁ ଏକାଠି କରି ଭାଇଚାରା ସୃଷ୍ଟି କରୁଥିଲା ବେଳେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଏହାର ବ୍ୟତିକ୍ରମ ଘଟିଛି ।