ଓଡ଼ିଆ ପକ୍ଷ-୨୦୨୬ ପାଳନ ପାଇଁ ବିଭାଗୀୟ ତରଫରୁ ବ୍ୟାପକ ପ୍ରସ୍ତୁତି...

Mar 30, 2026 - 15:35
 10
ଓଡ଼ିଆ ପକ୍ଷ-୨୦୨୬ ପାଳନ ପାଇଁ ବିଭାଗୀୟ ତରଫରୁ ବ୍ୟାପକ ପ୍ରସ୍ତୁତି...

ଓଡ଼ିଆ ପକ୍ଷ-୨୦୨୬ ପାଳନ ପାଇଁ ବିଭାଗୀୟ ତରଫରୁ ବ୍ୟାପକ ପ୍ରସ୍ତୁତି...

ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ବିଗତ ବର୍ଷ ୨୦୨୫ ମସିହାରେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଆ ଅସ୍ମିତାର ମହାପର୍ବ- "ଓଡ଼ିଆ ପକ୍ଷ" ପାଳନ କରାଯାଇଥିଲା। 

ଓଡ଼ିଆ ଘରର ଗାଥା-ଗୌରବ, କଥାସରିତା, ଚାଲି-ଚଳଣି, ଖାଦ୍ୟ-ପାନୀୟ, ପୋଷାକ-ପରିଧାନ ସଂସ୍କୃତି ଓ ପରମ୍ପରାକୁ ପୁନଶ୍ଚ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଚଳିତ ବର୍ଷ (୨୦୨୬) ମଧ୍ୟ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ "ଓଡ଼ିଆ ପକ୍ଷ" ଭବ୍ୟତାର ସହ ପାଳନ କରାଯିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।

ଏପ୍ରିଲ ୧

ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରତିଷ୍ଠା ଦିବସ *"ଓଡ଼ିଶା ଦିବସ"* ପାଳନ କରାଯିବ।

ଏପ୍ରିଲ ୨ 

ବିଦ୍ୟାଳୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଥିବା ଶିଶୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ *"ଖଡ଼ିଛୁଆଁ ଦିବସ"* ପାଳନ କରାଯିବ।

ଏପ୍ରିଲ ୩

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ - *"ଆମ ପୋଷାକ ଆମ ପରିଚୟ ଦିବସ"* ପାଳନ କରାଯିବ।

ଏପ୍ରିଲ ୪ 

ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ *"ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ" ପଦଯାତ୍ରା* ଆୟୋଜନ କରାଯିବ।

ଏପ୍ରିଲ ୫ 

ରାଜ୍ୟର ଐତିହ୍ୟ ସ୍ଥଳୀର ସୁରକ୍ଷା, ଏହାର ପ୍ରଚାର ଓ ପ୍ରସାର ଏବଂ ଫିଟ୍ ଇଣ୍ଡିଆ ଓ ଫିଟ୍ ଓଡ଼ିଶାର ଲକ୍ଷ୍ୟକୁ ନେଇ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ଐତିହ୍ୟ ସ୍ଥଳୀ ନିକଟରେ *"ଐତିହ୍ୟ ଗଣଦୌଡ଼"* କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୬

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଦେବାଳୟ ଠାରୁ ଆରମ୍ଭ କରି ସାର୍ବଜନୀନ ସ୍ଥାନ ମାନଙ୍କରେ *"ସ୍ୱଚ୍ଛତା ଅଭିଯାନ"* କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୭

ଶିଶୁକଥା, ଗଳ୍ପ ଓ ଲୋକକଥାକୁ ଛୋଟ ପିଲାଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ *"ଶିଶୁକଥା ଦିବସ"* ପାଳନ କରାଯିବ।

ଏପ୍ରିଲ ୮ 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ *"ରକ୍ତଦାନ ଅଭିଯାନ"* ଆୟୋଜନ ହେବ।

ଏପ୍ରିଲ ୯ 

ପୁସ୍ତକ ପଠନକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରିବା ସହ ଯୁବପିଢ଼ିଙ୍କୁ ପୁସ୍ତକ ପଠନ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ *"ଆସ ବହିଟିଏ କିଣିବା ଅଭିଯାନ"* ଆୟୋଜନ ହେବ।

ଏପ୍ରିଲ ୧0

ଓଡ଼ିଶାର ଲୋକକଳାକୁ ପ୍ରୋତ୍ସାହନ ଦେବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ *"ଲୋକକଳା ପାଇଁ ଦିନଟିଏ"* କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୧୧

ଶିଶୁ, କିଶୋର ଓ ତରୁଣମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ *"ଅମୃତପିଢ଼ି ସମାରୋହ"* କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୧୨ 

ଓଡ଼ିଶାର ବରପୁତ୍ରମାନଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମ୍ବନ୍ଧରେ ଯୁବପିଢ଼ିଙ୍କୁ ଅବଗତ କରାଇବା ସହ ବରପୁତ୍ରମାନଙ୍କ ସ୍ମୃତି ଚାରଣ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ *"ବନ୍ଦନୀୟ ବରପୁତ୍ର"* କାର୍ଯ୍ୟକ୍ରମ ଆୟୋଜନ କରାଯିବ।

????ଏପ୍ରିଲ ୧୩ 

ପାରମ୍ପରିକ ଖାଦ୍ୟ ଏବଂ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ *"ଆମ ରୁଚି ଆମ ଖାଦ୍ୟ ଦିବସ"* ପାଳନ କରାଯିବ।

????ଏପ୍ରିଲ ୧୪ 

ସାରା ରାଜ୍ୟରେ ଭବ୍ୟତାର ସହ *"ଓଡ଼ିଆ ନବବର୍ଷ"* ପାଳନ କରାଯିବ।

ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 

"ଓଡ଼ିଆ ପକ୍ଷ-୨୦୨୬" ୱେବ୍ସାଇଟ- Odiapakhya.com (ଓଡ଼ିଆ ପକ୍ଷ ଡ଼ଟକମ୍) ଖୋଲାଯାଇଛି।* Odiapakhya.com କୁ ଯାଇ ସମସ୍ତେ ଓଡ଼ିଆ ପକ୍ଷ ଆପ୍ (Odia Pakhya App)କୁ ମଧ୍ୟ ଡ଼ାଉନଲୋଡ଼ କରିପାରିବେ।

ଓଡ଼ିଆ ପକ୍ଷ-୨୦୨୬ ୱେବ୍ସାଇଟ ଏବଂ ଆପ୍ ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। 

ଓଡ଼ିଆ ପକ୍ଷ ପାଳନର ଏହି ୧୪ ଦିନ ମଧ୍ୟରେ ଓଡ଼ିଆ ପକ୍ଷ ୱେବ୍ସାଇଟରେ ପାରମ୍ପରିକ ଖାଦ୍ୟ,ସଙ୍ଗୀତ ଓ ନୃତ୍ୟ, ସ୍ୱଚ୍ଛତା ଅଭିଯାନ, ଓଡ଼ିଶାର କଳା ଓ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଏବଂ ଓଡ଼ିଆ ପକ୍ଷରେ ହେବାକୁ ଯାଉଥିବା ବିଭିନ୍ନ ଉତ୍ସବ ପାଳନର ରିଲ୍ସ (Reels) ପ୍ରସ୍ତୁତ କରି ଓ ସେଲ୍ଫି (selfie) ଉଠାଇ ସେହି ସବକୁ ଆମ ଓଡ଼ିଆ ଭାଇ ଓ ଭଉଣୀମାନେ ଓଡ଼ିଆ ପକ୍ଷ ୱେବ୍ସାଇଟରେ ଅପଲୋଡ଼ କରିପାରିବେ। ଏଥିସହ ଓଡ଼ିଆ ପକ୍ଷ ୱେବ୍ସାଇଟରେ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯିବ। 

ଓଡ଼ିଆ ପକ୍ଷ କୁଇଜ୍‌ରେ ଭାଗନେଇ ସମସ୍ତେ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡ଼ାଉନଲୋଡ଼ କରି ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର କରିପାରିବେ।

ଓଡ଼ିଆ ପକ୍ଷ ପାଳନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ନିଜ ସଂସ୍କୃତି ସହ ପୁନଃ ସଂଯୋଜିତ ହେବାର ସମୟ। ଆମ ଓଡ଼ିଶା, ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତିକୁ ନେଇ ଉତ୍ସବ ମୁଖର ହେବାର ସମୟ ଉପନୀତ ହୋଇଛି। 

ସମସ୍ତ ବେସରକାରୀ ଅନୁଷ୍ଠାନ, ସମସ୍ତ ଯୁବ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ସର୍ବୋପରି ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ “ଓଡ଼ିଆ ପକ୍ଷ-୨୦୨୬” ପାଳନରେ ସାମିଲ ହେବାକୁ ଅନୁରୋଧ କରାଯାଉଛି। 

ଆସନ୍ତୁ ଓଡ଼ିଆ ପକ୍ଷ ପାଳନରେ ସାମିଲ ହେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱବିଦିତ କରିବା ନିମନ୍ତେ ଆମର ନିରନ୍ତର ପ୍ରୟାସ ଜାରି ରଖିବା ଏବଂ ଗର୍ବର ସହ ସମସ୍ତଙ୍କୁ କହିବା "ଆମେ ଓଡ଼ିଆ"।