ଓଡ଼ିଶାର ପୂର୍ବ ଓଡିଶା ରୁ ପଶ୍ଚିମ ଓଡିଶା କୁ ନେଇ ହେବ ଏକ ସମୃଦ୍ଧ ଶିଳ୍ପ କରିଡର

Sep 7, 2025 - 12:40
 3
ଓଡ଼ିଶାର ପୂର୍ବ ଓଡିଶା ରୁ ପଶ୍ଚିମ ଓଡିଶା କୁ ନେଇ ହେବ ଏକ ସମୃଦ୍ଧ ଶିଳ୍ପ କରିଡର

ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍‌ଘାଟ୍‌ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପାରିବାରିକ ପ୍ରେମ ଓ ସମୃଦ୍ଧିର ପ୍ରତୀକ ହେଉଛି ନୂଆଁଖାଇ। ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହିଛି ତାହା ନୁହେଁ ଏହାକୁ ସମଗ୍ର ରାଜ୍ୟବାସୀଙ୍କ ସହ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଉଛି| ନୂଆଁଖାଇ ଆମକୁ ଚାଷୀଙ୍କ ପ୍ରତି କୃତଜ୍ଞ କରିଥାଏ। ନୂଆଁଖାଇ ଉତ୍ସବ ଚାଷୀଙ୍କ ପରିଶ୍ରମର ଫଳ ସ୍ବରୂପ। ତେଣୁ ରାଜ୍ୟ ସରକାର ଚାଷୀଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ପ୍ରତିବଦ୍ଧ। ସମ୍ବଲପୁର ହେଉଛି ବୀରଭୂମି। ତେଣୁ ସମ୍ବଲପୁରର ଐତିହାସିକ ସ୍ବାଧୀନତା ସଂଗ୍ରାମୀ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲାର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଗତ ଏପ୍ରିଲ୍‌ ୨୧ରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇଥିଲା। ଏଥିରେ ୯,୩୭୭ଟି ଅଭିଯୋଗ ମିଳିଥିଲା। ସେଥିମଧ୍ୟରୁ ପ୍ରାୟ ୮୮% ତୁରନ୍ତ ସମାଧାନ କରାଯାଇଥିଲା। ଆଗାମୀ ଦିନରେ କେବଳ ଜନଶୁଣାଣି ନୁହେଁ, ବରଂ ଆଗକୁ କ୍ୟାବିନେଟ୍‌ ମିଟିଂ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଭାଜପା ସରକାର ରାଜ୍ୟର ପ୍ରତି ଜିଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କି ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପାରାଦୀପ, ଚୌଦ୍ୱାର, ଢେଙ୍କାନାଳ, ଅନୁଗୋଳ ସହିତ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାକୁ ସଂଯୋଗ କରି ଏକ ସମୃଦ୍ଧ ଶିଳ୍ପ କରିଡର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ସୌନ୍ଦର୍ଯ୍ୟଭରା ଦେବ୍ରିଗଡ଼ ଅଭୟାରଣ୍ୟ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା’ସମଲେଇଙ୍କ ମନ୍ଦିରର ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଜିଲାର ହରିଶଙ୍କର ଓ ବରଗଡ଼ ଜିଲାର ନୃସିଂହନାଥ ପୀଠକୁ ମଧ୍ୟ ସ୍ବତନ୍ତ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ|

ନୂଆଁଖାଇ ଭେଟ୍‌ଘାଟ ଉତ୍ସବରେ ଆୟୋଜକ କମିଟି ସଭାପତି ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ରବିନାରାୟଣ ନାଏକ, ମୁକେଶ ମହାଲିଙ୍ଗଙ୍କ ସମେତ ରେଢ଼ାଖେଲା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବକ୍ତବ୍ୟ ଦେଇଥିଲେ। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ିଆ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।