ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା 'ଫାର୍ମଏକ୍ସ' ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ...

Sep 27, 2026 - 19:12
 3
ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା 'ଫାର୍ମଏକ୍ସ' ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ...

ଓଡ଼ିଶାକୁ ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର, ଏଆଇ ସଫ୍ଟୱେର୍, ରୋବୋଟିକ୍ସ ଏବଂ ସ୍ମାର୍ଟ କୃଷି ପ୍ରଣାଳୀର ଏକ ଅତ୍ୟାଧୁନିକ ଉତ୍ପାଦନ ଓ ରପ୍ତାନି ହବ୍ ଭାବରେ ଗଢ଼ିତୋଳିବା ପାଇଁ ସିଲିକନ୍ ଭ୍ୟାଲିର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ଫାର୍ମଏକ୍ସ' (FarmX) ରାଜ୍ୟ ସରକାରଙ୍କ ନିକଟରେ ₹୧,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଗତ କରିଛି। 

ଫାର୍ମଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରେମଲ ଅସର ଏବଂ ଏଆଇ ଓ ପ୍ରଡକ୍ଟ ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ ଲଲିତ ଭଟ୍ଟଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ସହ ସାକ୍ଷାତ କରି ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ରାଜ୍ୟରେ ପ୍ରଯୁକ୍ତିବିଦ୍ୟା (Deep Technology)ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, କୃଷି ଓ ଉତ୍ପାଦନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଉଚ୍ଚ-ଦକ୍ଷତାସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। 

ଏହି ପ୍ରକଳ୍ପ ଅଧୀନରେ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କ୍ୟାମ୍ପସ ସହ ସ୍ମାର୍ଟ କୃଷି କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯିବ, ଯାହା ୧,୧୨୦ଟି ପ୍ରତ୍ୟକ୍ଷ ଏବଂ ପ୍ରାୟ ୩,୭୦୦ଟି ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। 

ପୂର୍ଣ୍ଣ କ୍ଷମତାରେ ଏହି କ୍ୟାମ୍ପସରୁ ବାର୍ଷିକ ୧,୦୦୦ଟି ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର ଏବଂ ୧ ଲକ୍ଷ ଫିଲ୍ଡ-ସେନ୍ସିଂ ୟୁନିଟ୍ ଉତ୍ପାଦନ କରାଯାଇ ଭାରତ ଓ ବିଦେଶୀ ବଜାରକୁ ରପ୍ତାନି କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରଯୁକ୍ତିବିଦ୍ୟା ଫାର୍ମଏକ୍ସର 'ଫାର୍ମମ୍ୟାପ୍' (FarmMap) ପ୍ଲାଟଫର୍ମ, ସାଟେଲାଇଟ୍ ଫୋଟ, ପେଟେଣ୍ଟପ୍ରାପ୍ତ 'ଓସମୋ' (OSMO) ମୃତ୍ତିକା ଆର୍ଦ୍ରତା ସେନ୍ସର ଏବଂ ଓଡ଼ିଆ ଭାଷାରେ ଉପଲବ୍ଧ ମୋବାଇଲ୍ ଆପ୍ ମାଧ୍ୟମରେ ଚାଷୀମାନଙ୍କୁ ଜଳସେଚନ, କୀଟନାଶକ ଓ ସାରର ସଠିକ୍ ବ୍ୟବହାର ସମ୍ପର୍କରେ ରିଅଲ-ଟାଇମ୍ ସୂଚନା ପ୍ରଦାନ କରିବ। ଫଳରେ ଜଳର ଅପଚୟ ରୋକାଯିବା ସହ ଅମଳ ବୃଦ୍ଧି ପାଇବ। 

ଆଲୋଚନା ପର୍ଯ୍ୟାୟରେ ଥିବା ଏହି ପ୍ରସ୍ତାବ ଓଡ଼ିଶାକୁ ସ୍ୱଚ୍ଛ ଗତିଶୀଳତା (Clean Mobility) ଏବଂ ସ୍ମାର୍ଟ କୃଷି କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।