କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବେ ରାଜ୍ୟର ମାନ୍ୟତା ପାଇଁ ଦାବୀ କରି ବସିଛି...

Sep 25, 2025 - 08:45
 8
କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବେ ରାଜ୍ୟର ମାନ୍ୟତା ପାଇଁ ଦାବୀ କରି ବସିଛି...

ମସିହା ୨୦୧୯ ଯାଏଁ ଜମ୍ମୁ-କଶ୍ମୀର ସହ ମିଶି ରହିଥିଲା ଲଦାଖ। କିନ୍ତୁ ୨୦୧୯ ଅଗଷ୍ଟ ୫ରୁ ଲଦାଖ ସ୍ୱତନ୍ତ୍ର ଭାବେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଗଲା | ଏବେ ସେହି ବ୍ୟବସ୍ଥାରେ ରହିବାକୁ ଚାହୁଁ ନାହାନ୍ତି ସ୍ଥାନୀୟ ଲୋକ |

ସେମାନେ ଲଦାଖକୁ ରାଜ୍ୟର ମାନ୍ୟତା ଦେବାକୁ ଦାବି କରୁଛନ୍ତି।

ସେଥିପାଇଁ ଲେହରେ ଆୟୋଜିତ ହୋଇଥିବା ବିକ୍ଷୋଭ ସମାବେଶ ଭୟଙ୍କର ରୂପ ନେଇଛି। ବିକ୍ଷୋଭକାରୀ ଓ ପୁଲିସ୍‌ ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖା ଦେଇଛି| 

ବିକ୍ଷୋଭକାରୀମାନେ ପୁଲିସ ଓ ସରକାରୀ ଅଧିକାରୀଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ଏପରି କି ସେମାନେ ଏକାଧିବ ପୁଲିସ୍‌ ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି। 

ପ୍ରଥମଥର ପାଇଁ ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଏତେ ବଡ଼ ହିଂସାକାଣ୍ଡ ଘଟିବା ପ୍ରଶାସନର ନିଦ ହଜାଇ ଦେଇଛି।

ଶତାଧିକ ଲୋକ ଏକାଠି ହୋଇ ଲଦାଖ କୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ‌ଏହାର ସାମ୍ବିଧାନିକ ସୁରକ୍ଷା ପାଇଁ ଦାବୀ କରିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି| 

ନିଜର ଦାବିକୁ ଜୋରଦାର କରିବା ପାଇଁ ସେମାନେ ଅନଶନ କରିବା ସହ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ହେଲେ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ନଦେବାରୁ ସେମାନେ ଉତ୍ତେଜିତ ହୋଇପଡ଼ିଥିଲେ |

ଉତ୍ତେଜିତ ବିକ୍ଷୋଭକାରୀମାନେ ଲେହରେ ଥିବା ବିଜେପି ଅଫିସରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ। ସେମାନେ ପୁଲିସ୍‌ ଷ୍ଟେସନ ଉପରକୁ ପଥର ମାଡ଼ କରିଛନ୍ତି।ଏହାର ଜବାବରେ ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ ମାଡ଼ କରାଯିବା ସହ ଲାଠିଚାର୍ଜ କରାଯାଇଛି।

ଲଦାଖର ଦାବି ସମ୍ପର୍କରେ ଆଲୋଚନା କରିବାକୁ ଅକ୍ଟୋବର ୬ରେ କେନ୍ଦ୍ର ସରକାର ବୈଠକ ଡାକିଛନ୍ତି। ଲଦାଖର ପ୍ରତିନିଧିମାନେ ଯୋଗଦେଇ ସମସ୍ୟା ସମାଧାନର ବାଟ କରାଯିବ ବୋଲି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି |