ଜରୁରୀ କାଳୀନ ପରିସ୍ଥିତି ସମୟ " ସ୍ୱାଧୀନ ଭାରତର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ .

ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ପାଳନ ଅବସରରେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦେଇ କହିଥିଲେ ଯେ ‘ଜରୁରୀ କାଳୀନ ପରିସ୍ଥିତି’ ସମୟ ସ୍ଵାଧୀନ ଭାରତର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ |
ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେ ସବୁକୁ କେହି ଭୁଲି ପାରିବେ ନାହିଁ। କିନ୍ତୁ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫ ଜୁନ ୨୦୨୬ରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।
ଜରୁରୀକାଳୀନ ସମୟ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେହି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ, ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସାରା ଭାରତରେ ଲଢେଇ ଜାରି ରଖିଥିଲା । ଦେଶର ସମସ୍ତ ବଡ ବଡ ନେତାଙ୍କ ସହିତ ଅଟଳ ବିହାରୀ ବାଜପେୟୀଜୀ ଓ ଲାଲକୃଷ୍ଣ ଆଡଭାନୀଜୀଙ୍କ ପରି ନେତା ମାନେ ମଧ୍ୟ ଜେଲ ଯାଇଥିଲେ। ଦମନଲୀଳା ଏତେ ମାତ୍ରାରେ ଥିଲା ତାଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ଯଦି ସରକାରଙ୍କୁ ବିରୋଧ କରିବ ତେବେ ଜେଲ ଯିବ ଅଥବା ଖବରକାଗଜ ବନ୍ଦ ହେବ। ଅନେକ ନିଜ ନିଜ ଖବରକାଗଜକୁ ବନ୍ଦ କରିବାକୁ ଚାହୁଁ ନ ଥିଲେ, ଯେଉଁମାନେ ଝୁଙ୍କିଲେ ନାହିଁ, ତାଙ୍କୁ ଜେଲ ଯିବାକୁ ପଡିଲା। ପ୍ରାୟ ୧୦ ହଜାର ସାମ୍ବାଦିକ ଜେଲ ଦଣ୍ଡ ଭୋଗିଲେ।
ଲୋକତନ୍ତ୍ର ସେନାନୀମାନେ, ଯେଉଁମାନେ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି, ସେମାନେ ଜାଣିଛନ୍ତି ସେମାନଙ୍କ ଉପରେ ଜେଲରେ କିପରି ଅତ୍ୟାଚାର କରାଯାଉଥିଲା। ସେମାନେ ଜାଣିଛନ୍ତି ଯେ କିପରି ଜରୁରୀକାଳୀନ ପରିସ୍ଥିତି ସମୟରେ MISA କୁ ବ୍ୟବହାର କରି ବିନା ବିଚାରରେ ମାସ ମାସ ଧରି ଲୋକଙ୍କୁ ଜେଲରେ ରଖାଯାଉଥିଲା ବୋଲି ସେ କହିଥିଲେ।
ଆଜି ଆମ ସହିତ ଥିବା ୧୦୮ ଜଣ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କରି ଆମେ ଗୌରବାନ୍ୱିତ ଅନୁଭବ କରୁଛୁ। ଆମ ସରକାର ଆସିବା ପରେ ଆମେ ଆମର ଲୋକତନ୍ତ୍ର ସେନାନୀ ମାନଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ମଧ୍ୟ ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି। ଅନ୍ୟ ଲୋକତନ୍ତ୍ର ସେନାନୀ ମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍ ଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ। ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୫୦ ବର୍ଷ ତଳେ ଯେଉଁ ଭୁଲ ହୋଇଥିଲା ତାହା ଆଜିର ପୀଢ଼ି ଜାଣିବା ଦରକାର ଆଉ ଅନ୍ୟର ଭୁଲ ରୁ ମଣିଷ ଶିଖିବା ଭଳି, ଆଜିର ପୀଢ଼ି ଏହି ଦିବସରେ ଶିଖିବା ଦରକାର।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସମ୍ମାନିତ ଅତିଥିଗଣ ଏହି ଜରୁରୀକାଳୀନ ସମୟର ଲୋକତନ୍ତ୍ର ସେନାନୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହାସହିତ ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ ଓ ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।
ସେ ସମୟରେ ଦେଶକୁ ଶାସନ କରିବାକୁ ଯେଉଁ ବ୍ୟବସ୍ଥା ଚାଲିଥିଲା ସେ ସମୟ ସମସ୍ତଙ୍କ ପାଇଁ ଏକ କଳା ଦୁନିଆ ଥିଲା। କିନ୍ତୁ ସେଇ ଲଢେଇ ଆଜିର ଦିନରେ ଏକ ଶିକ୍ଷା ହେଉ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଥିଲେ।