ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଅଧିକାରୀଙ୍କ ଏକ ଦିନିକିଆ କର୍ମଶାଳା...

Nov 6, 2025 - 17:26
 9
ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଅଧିକାରୀଙ୍କ ଏକ ଦିନିକିଆ କର୍ମଶାଳା...

ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  

ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି।  

ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, IPS ଯୋଗ ଦେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରେଳବାଇ ଓ ଉପକୂଳ ସୁରକ୍ଷାର କ୍ଷମତା ବୃଦ୍ଧି କରିବାରେ ଏହି କର୍ମଶାଳା ସହାୟକ ହେବ ବୋଲି କହିଥିଲେ । ରେଳବାଇ ଓ ଉପକୂଳ ସୁରକ୍ଷାକୁ ମଜବୁତ ତଥା ଆଧୁନିକୀକରଣ କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ମାନବ ସମ୍ବଳ ବୃଦ୍ଧି, ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଓ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବାକୁ ଓଡ଼ିଶା ପୋଲିସ ସର୍ବାଧିକ ଗୁରୁତ୍ବ ଦେଉଛି।

ସେ ଆହୁରି ମଧ୍ୟ କହିଥିଲେ ଯେ — ଲୋକ ମାନଙ୍କୁ ଫଳପ୍ରଦ ପୋଲିସ ସେବା ଯୋଗାଇଦେବା ପାଇଁ କର୍ମଚାରୀ ମାନଙ୍କ ମଧ୍ୟରେ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ସମନ୍ୱୟ ରହିବା ହେଉଛି ମୁଖ୍ୟ ଚାବି। ଏହି କର୍ମଶାଳାରେ ଉପଲବ୍ଧ ଶିକ୍ଷଣୀୟ ତତ୍ତ୍ଵ ଗୁଡିକୁ ନେଇ କାର୍ଯ୍ୟ କ୍ଷେତ୍ରରେ ବିନିଯୋଗ କରି ରେଳବାଇ ଓ ଉପକୂଳ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ। 

ଶ୍ରୀ ଖୁରାନିଆ ଅଧିକାରୀମାନଙ୍କୁ ନିଜ ଦକ୍ଷତାକୁ ନିରନ୍ତର ଅପଡେଟ୍ ରଖିବା ସହ ନୂଆ ଚାଲେଞ୍ଜ ସମ୍ପର୍କରେ ସବୁବେଳେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। 

“ଓଡ଼ିଶା ପୋଲିସ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେବା ସହ ନୂଆ ଚାଲେଞ୍ଜକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିଛି ଏବଂ ଲୋକଙ୍କ ସେବାରେ ଅଧିକ ପେଶାଦାର ହୋଇ କାର୍ଯ୍ୟ କରୁଛି ବୋଲି ଡିଜିପି କହିଥିଲେ।

 

ଓଡ଼ିଶାରେ ସୁଦୀର୍ଘ ସମୁଦ୍ରତଟ ଥିବାରୁ ଉପକୂଳ ସୁରକ୍ଷାରେ ଓଡିଶା ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଏହି ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୧୪୯.୯୫ କୋଟି ଅନୁମୋଦନ କରିଛନ୍ତି ବୋଲି କହିଥିଲେ। 

ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଠନ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। 

୩୨ଟି ମାଛ ଧରା ବନ୍ଦର ଓ ଫିଶିଂ ହାର୍ବର୍‌କୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ଏହା ସହିତ ନୂଆ ନୌକା କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ନୂତନ ରେଳବାଇ ପୁଲିସ ଜିଲ୍ଲା ଓ କିଛି ନୂଆ ଜିଆର୍‌ପିଏସ (GRPSs) ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମସ୍ତ ୧୫ଟି GRPSରେ CCTV ମନିଟରିଂ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥ ଅନୁମୋଦନ ହୋଇଛି ବୋଲି ଡିଜିପି କହିଥିଲେ।

ଏହି କର୍ମଶାଳାରେ ଡା. କେଶବ କୁମାର, IPS (ଅବସରପ୍ରାପ୍ତ ଡିଜିପି, ଗୁଜୁରାଟ) ଫରେନସିକ୍ସ ଉପଦେଷ୍ଟା, ଆସାମ ସରକାର, “ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର” ବିଷୟରେ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହ ବେଆଇନ ଭାବେ ଅବୈଧ ପ୍ରବେଶ ଓ ମାନବ ଚୋରା ଚାଲାଣ ଆଦି ବିଷୟ ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା।  

ଭାରତୀୟ କୋଷ୍ଟ ଗାର୍ଡ ଅଧିକାରୀ, କମାଣ୍ଡାଣ୍ଟ ଶ୍ରୀ ରବୀନ୍ଦ୍ର କୁମାର ଯୋଗ ଦେଇ ଅନ୍ତର୍ଜାତୀୟ ଓ ଜାତୀୟ ସମୁଦ୍ର ସୁରକ୍ଷା ଆଇନ ସହିତ ସାମୁଦ୍ରିକ ସୁରକ୍ଷା ସମସ୍ୟା ସଂକ୍ରାନ୍ତରେ ଉପସ୍ଥାପନା ପ୍ରଦାନ କରିଥିଲେ। 

ଶ୍ରୀ ଅରୁଣ ବୋଥ୍ରା, IPS, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୃତ୍ତିଗତ ଦକ୍ଷତା, ସମୟୋପଯୁକ୍ତ ପ୍ରସ୍ତୁତି ଓ ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। 

ଏହା ସହ ରେଳବାଇ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ଅଲୋକ ବୋହରା, IGP, RPF, ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ଆଇନ ଶୃଙ୍ଖଳା ଓ ଗୁପ୍ତଚର ସଂସ୍ଥାମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଏବଂ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ।  

ଆଜିର ଏହି କାର୍ଯ୍ୟକ୍ରମରେ ସରକାରୀ ରେଳବାଇ ଥାନା ଓ ସାମୁଦ୍ରିକ ଥାନା ଅଧିକା ରୀମାନେ ଯୋଗ ଦେଇଥିଲେ।