ବିଧାନସଭାର ନୂତନ ୱେବସାଇଟ ଉନ୍ମୋଚନ I
ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍ସାଇଟ୍କୁ ଉନ୍ମୋଚନ କରିଥିଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ |
ସେ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍ଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ େୱବ୍ସାଇଟ୍ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତ୍ତି ଏବଂ ପଦକ୍ଷେପ ବିଷୟରେ ସଠିକ୍ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ । ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା କ୍ଷେତ୍ରରେ ପ୍ରତିବଦ୍ଧତାର ଏକ ନିଦର୍ଶନ । ଏହି ପ୍ଲାଟ୍ଫର୍ମ କେବଳ ବିଧାନସଭାର କାର୍ଯ୍ୟକାରିତାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁମଧ୍ୟ ପ୍ରୋତ୍ସାହିତ କରିବ ।