ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସାମୁଦ୍ରିକ ବୋର୍ଡର ସପ୍ତମ ବୈଠକ...

Sep 20, 2026 - 13:45
 2
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସାମୁଦ୍ରିକ ବୋର୍ଡର ସପ୍ତମ ବୈଠକ...

ରାଜ୍ୟର ସାମୁଦ୍ରିକ କ୍ଷେତ୍ରର ସମନ୍ୱିତ ବିକାଶ, ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ, ଜଳପଥ ଯୋଗାଯୋଗ ଏବଂ ସଂପର୍କିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ସାମୁଦ୍ରିକ ବୋର୍ଡ( ଓଡ଼ିଶା ମେରିଟାଇମ ବୋର୍ଡ)ର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି ।  

ଲୋକ ସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାମୁଦ୍ରିକ କ୍ଷେତ୍ରର ସମନ୍ୱିତ ବିକାଶ, ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ, ଜଳପଥ ଯୋଗାଯୋଗ ଏବଂ ବିଭିନ୍ନ ସାମୁଦ୍ରିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । 

ବୋର୍ଡର ଅନୁଷ୍ଠିତ ଗତ ୬ଷ୍ଠ ବୈଠକର କାର୍ଯ୍ୟାନୁଷ୍ଠାନ ସଂପର୍କରେ ସମୀକ୍ଷା ସହ ବୋର୍ଡର ପୁନର୍ଗଠନ, ମାନବ ସମ୍ବଳ ସୁଦୃଢ଼ୀକରଣ, ବନ୍ଦର ବିକାଶ ଓ ପ୍ରମୁଖ ସାମୁଦ୍ରିକ ପ୍ରକଳ୍ପ ସମ୍ପର୍କିତ ବିଷୟ ଏହି ବୈଠକର ଆଲୋଚନା କରାଯାଇଥିଲା । 

ବୈଠକରେ ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟକୁ ଓଡ଼ିଶା ସାମୁଦ୍ରିକ ବୋର୍ଡ ସହ ମିଶ୍ରଣ ଏବଂ ଏହା ଫଳରେ ବୋର୍ଡର କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ନୂତନ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ପରିଚାଳନା ଅଧିକାରୀଙ୍କ ଦାୟିତ୍ୱ ଓ କାର୍ଯ୍ୟ ପରିସର ଏବଂ ବୋର୍ଡର ଆବଶ୍ୟକ ମାନବ ସମ୍ବଳ ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ବିଚାର ବିମର୍ଶ କରାଯାଇଛି । 

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ପ୍ରସ୍ତାବିତ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟରର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି । ଗୋପାଳପୁର ବନ୍ଦର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । 

ବନ୍ଦରର ବୃଦ୍ଧି ପାଉଥିବା ମାଲ ପରିବହନକୁ ଦୃଷ୍ଟିରେ ରଖି ଛତ୍ରପୁର ନିକଟ ଜାତୀୟ ରାଜପଥ-୧୬ରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୪.୫ କିଲୋମିଟର ଦୀର୍ଘ ୪-ଲେନ୍ ସବୁଜ କ୍ଷେତ୍ର ସଡ଼କ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଉପରେ ବିଚାର କରାଯାଇଛି । 

ଏହି ସଡ଼କ ବିକାଶ କାର୍ଯ୍ୟକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ କରାଯିବା ପ୍ରସ୍ତାବ ରହିଛି । 

ଧାମରା ଓ ଗୋପାଳପୁର ବନ୍ଦରରେ କଣ୍ଟେନର ଟର୍ମିନାଲ ବିକାଶ ସମ୍ପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । 

ରପ୍ତାନି-ଆମଦାନୀ ବାଣିଜ୍ୟକୁ ସୁଗମ କରିବା ସହ ମାଲ ପରିବହନ କ୍ଷମତା ବୃଦ୍ଧି ପାଇଁ କଣ୍ଟେନର ଟର୍ମିନାଲ ସହ କଣ୍ଟେନର ମାଲ ଗୋଦାମ, ଶୁଳ୍କ ବିଭାଗ ଅଧୀନ ଅଞ୍ଚଳ ଓ ବହୁମୁଖୀ ମାଲ ପରିବହନ କେନ୍ଦ୍ର ପାଇଁ ଆବଶ୍ୟକ ଜମି ଚିହ୍ନଟ କରାଯିବ । ପୁରୀ ନିକଟରେ ପ୍ରସ୍ତାବିତ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି । 

ରାଜ୍ୟର ବିଭିନ୍ନ ବନ୍ଦର ଓ ପ୍ରସ୍ତାବିତ ସାମୁଦ୍ରିକ ପ୍ରକଳ୍ପ ନିକଟରେ ଥିବା ସମୁଦ୍ର ଦ୍ୱାରା ସୃଷ୍ଟ ନୂତନ ଜମିର ସର୍ବେକ୍ଷଣ ଓ ଚିହ୍ନଟ ପାଇଁ ଜିଆଇଏସ୍‌ ଆଧାରିତ ମାନଚିତ୍ର ପ୍ରସ୍ତୁତି ଏବଂ ଏକ ରଣନୈତିକ ସାମୁଦ୍ରିକ ଜମି ବ୍ୟାଙ୍କ ଗଠନ ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଇଛି ।  

ବୈଠକରେ ରାଜ୍ୟର ସାମୁଦ୍ରିକ ସମ୍ପଦର ସୁଚିନ୍ତିତ ବ୍ୟବହାର, ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ, ଜାହାଜ ନିର୍ମାଣ, ମାଲ ପରିବହନ ଓ କ୍ରୁଜ୍ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। 

ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ,ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ , ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପବିତ୍ର ମୋହନ ସାମଲ ଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ