ମୂଳାଷ୍ଟମୀ କଣ, କାହିଁକି ଓ କିପରି ହୁଏ ପାଳିତ ?

Sep 14, 2025 - 09:42
 14
ମୂଳାଷ୍ଟମୀ କଣ, କାହିଁକି ଓ କିପରି ହୁଏ ପାଳିତ ?

ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍‌ କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ ।

"ଓଁ ଉତ୍ତିଷ୍ଠ ପୁରୁଷି!” ହେ ପୁରୁଷି! ହେ ଦେବୀ ଦୁର୍ଗା! ଉଠ! “କିଂ ସ୍ୱପିସି?” କାହିଁକି ଶୋଇ ରହିଛ? ଏହା ହେଉଛି- ଦେବୀ ଦୁର୍ଗାଙ୍କର ଉତ୍‌ଥାପନ ମନ୍ତ୍ର। ବନଦୁର୍ଗା ମହାମନ୍ତ୍ର। ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ହେଉଛି ଦେବୀ ଦୁର୍ଗାଙ୍କର ଶୟନ ଦିବସ। ଏହିଦିନ ରାତିରେ ତାଙ୍କର ଶୟନ ନୀତି ହୁଏ। 

ବିଧି ଅନୁସାରେ ଦେବୀ ପନ୍ଦରଦିନ ଶୁଅନ୍ତି ଏବଂ ଯେଉଁଦିନ ଷୋହଳ ଦିନ ହୁଏ, ସେଦିନ ନିଦରୁ ଉଠନ୍ତି। ପୁରାଣ ପ୍ରସଙ୍ଗ ଅନୁସାରେ, ମହିଷାସୁରର ଭୟରେ ସନ୍ତ୍ରସ୍ତ ଦେବଗଣ ଓ ମାନବଗଣଙ୍କୁ ସେହି ଭୟରୁ ପରିତ୍ରାଣ କରିବା ପାଇଁ ଦେବୀଙ୍କୁ ଶୟନରୁ ଉଠାଯାଇଥିଲା। ସେହି ଅନୁସାରେ, ଶରତ୍‌କାଳୀନ ଦୁର୍ଗାପୂଜା ସମୟରେ ତାଙ୍କୁ ଆବାହନ କରାଯାଏ। ମହିଷାସୁର ବଧ ପରି ପୁରୁଷୋଚିତ କାର୍ଯ୍ୟ କରିବା ପାଇଁ ଦେବୀ ନିଦରୁ ଉଠିଥାଆନ୍ତି।

ମୂଳାଷ୍ଟମୀ ଦିନ ତାଙ୍କର ସହସ୍ର କୁମ୍ଭାଭିଷେକ କରାଯାଇ ଷୋଡ଼ଶ ଦିନବ୍ୟାପୀ ଦୁର୍ଗାପୂଜାର ଆରମ୍ଭ ହୁଏ। ଷୋହଳ ଦିନ ବ୍ୟାପୀ ଏହି ପୂଜା ବ୍ୟତୀତ, ଦେବୀ ଦୁର୍ଗାଙ୍କର ନଅଦିନ, ପାଞ୍ଚଦିନ, ତିନିଦିନ ଓ ଦୁଇଦିନ ବ୍ୟାପୀ ପୂଜାର ବିଧି ମଧ୍ୟ ଅଛି। ଯେଉଁ ବ୍ୟକ୍ତି ଏହିସବୁ ପୂଜାବିଧିରୁ କୌଣସିଟି କରି ନ ପାରନ୍ତି, ତାଙ୍କ ପାଇଁ ଏକଦିନ ପୂଜାର ବିଧି ମଧ୍ୟ ରହିଛି। ସେହି ଏକଦିନ ପୂଜାବିଧି ଆଶ୍ୱିନ ମାସ ଶୁକ୍ଳ ନବମୀ ଦିନ କରାଯାଇଥାଏ। ଏହି ସମସ୍ତ ପ୍ରକାରର ପୂଜାବିଧି ପରେ, ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ତିଥିର ଏକାଦଶ ମୁହୂର୍ତ୍ତ ବା ପ୍ରଦୋଷ ସମୟରେ, ଅପରାଜିତା ଦଶମୀ ପୂଜା କରାଯାଏ। ଏହା ‘ବିଜୟାଦଶମୀ’ ଭାବରେ ଖ୍ୟାତ। ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ମୂଳ ତିଥି ହେଉଛି ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ। ସେ ସଂପର୍କରେ ଶାସ୍ତ୍ରୋକ୍ତି ଅଛି-

“ମୂଳେନାବାହୟେ ଦେବୀମ୍।” 

ଏହା ସୂଚାଏ, ଏହି ତିଥି ହେଉଛି ଷୋଡ଼ଶ ଦିନ ବ୍ୟାପୀ ଦେବୀପୂଜାର ମୂଳ। ସେଥିପାଇଁ ଏହାର ନାମ ମୂଳାଷ୍ଟମୀ।

ll *ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ରାକୁମ୍ଭାଭିଷ* ll :- 

ଭାରତରେ ଅନେକ ପ୍ରତିଷ୍ଠିତ ପୀଠସ୍ଥଳୀ ରହିଛି । ସେଥିମଧ୍ୟରେ ଶ୍ରୀକ୍ଷେତ୍ର ଅନ୍ୟତମ । ଶଙ୍ଖକ୍ଷେତ୍ରର କ୍ଷେତ୍ରଧିଶ୍ଵରୀ ଭାବରେ ମା ବିମଳା ଅଧୁଷ୍ଠିତ ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦ ପୀଠେଶ୍ବରୀ ନାମରେ ସୁବିଦିତା | ପୀଠାଧିଶ୍ଵରୀ ମା ବିମଳା ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି । ଆଶ୍ୱିନ ମାସର ଶରତ କାଳରେ ମା ' ଶ୍ରୀକ୍ଷେତ୍ରଶ୍ବରି ଙ୍କର ଶ୍ରୌତ ସ୍ମାର୍ତବିଧିରେ ତର୍ପଣ , ମାର୍ଜନ , ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ । ବହୁ ଆଡମ୍ବର ଓ ବିଧିବିଧାନ ସହ ବହୁଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ଶାରଦୀୟ ଦୁର୍ଗାତ୍ସବ ' ଭାବରେ ଖ୍ୟାତ । ଶରତ କାଳର ଏହି ପୂଜା ସମୟକୁ ଛାଡିଦେଲେ ମା ବିମଳାଙ୍କର ନିତ୍ୟ ପୂଜାବିଧି ନାହିଁ । ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ । ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକରେ ଦେବଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି । 

ଶ୍ରୀଦୁର୍ଗାଦେବୀଙ୍କ ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀଠାରୁ ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ । ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଳ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବାଭାଗରେ ଶୟନରୁ ଉଠନ୍ତି । ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନ କାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ । ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତି ମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ ( ମାଜଣା ମଣ୍ଡପ ) ଖଟ ଉପରେ ବିଜେ ହୁଅନ୍ତି| ସେଠାରେ ପୁଜାପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳ ଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗା ଲାଗି ହୋଇ ବେଶ ହୋଇଥାନ୍ତି । ଏହାପରେ ପାଣି ପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାର ଘର ଦ୍ବାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷକ ନୀତି ସମାପ୍ତ ହୋଇଥାଏ ||