ରାହୁଲ୍ଙ୍କ ଉଦ୍ଦେଶ୍ୟରେ ‘ଆମେଥିକୁ ଫେରିଆସ’ ପୋଷ୍ଟର
ଆମେଥି : କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଏଥିରେ ରାହୁଲ ଗାନ୍ଧୀ, କେରଳର ୱାୟନାଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ କଂଗ୍ରେସ ଘୋଷଣା କରିସାରିଛି । ତେବେ ଉତ୍ତରପ୍ରଦେଶର ଆମେଥି ଆସନରୁ ରାହୁଲ ପ୍ରାର୍ଥୀ ନହେବା ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି । ତେବେ ରାହୁଲଙ୍କ ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସ ଏବେ ଆମେଥି ଲୋକସଭା ନିର୍ବାଚନ ମଣ୍ଡଳୀର ସ୍ଥାନେ ସ୍ଥାନେ ବଡ଼ ବଡ଼ ପୋଷ୍ଟର , ବ୍ୟାନର ଆଦି ଲଗାଇଥିବା ଦେଖିବାକୁ ମିଳୁଛି ।
ଏଥିରେ ‘ଆମେଥିକୁ ଫେରିଆସ ରାହୁଲ, ଆପଣଙ୍କ ବିନା ଆମେଥି ଶୁନଶାନ ହୋଇଯାଇଛି, ବିକାଶ ବନ୍ଦ ପଡ଼ିଛି, ଆସ ପୁନଃ ବିକାଶ କାର୍ଯ୍ୟ ଆରମ୍ଭ କର, ଆପଣ ଏଥର ସବୁଠାରୁ ଅଧିକ ଭୋଟ୍ରେ ଜିତିବାର ରେକର୍ଡ ସୃଷ୍ଟି କରିବେ, ଆମେଥି ଆପଣଙ୍କୁ ଡାକୁଛି, ଫେରିଆସ’ ଏପରି କିଛି ସମ୍ବୋଧନ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି ।
ଗତ ଲୋକସଭା ନିର୍ବାଚନରେ ୱାୟନାଡ ସହ ଆମେଥି ଲୋକସଭା ଆସନରୁ ରାହୁଲ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ଏଥର ଉତ୍ତରପ୍ରଦେଶ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଜାରି କରିନଥିବା ବେଳେ ରାହୁଲ ଏଥର ମଐଧ୍ୟ ଆମେଥିରୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।