ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ
ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବିଧାୟକ: ବିଜେଡି
କଟକ ସଦର ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲା ବିଜେଡି
ରେଭେନ୍ସା ବିଶ୍ୱବିଦ୍ୟାଳୟର ଗାରିମା ନଷ୍ଟ କରିବାରେ ଲାଗି ପଡିଛି ବିଜେପି
ରାଜ୍ୟ ସରକାର ଜାଣିଶୁଣି ବିଜେପି ବିଧାୟକଙ୍କୁ ସିନେଟ୍ ସଦସ୍ୟ କରିଛନ୍ତି
ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣରେ ନାହିଁ ଶାଳୀନତା
ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିପ୍ ୱାର୍ଡେନଙ୍କୁ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରି ଆନେ୍ଦାଳନ ତେଜିବାରେ ଲାଗିଛି ।
କିନ୍ତୁ ବିଧାୟକ ତାଙ୍କର ଦୋଷ ତ୍ରୁଟିକୁ ସ୍ୱୀକାର କରୁନାହାଁନ୍ତି । ଯାହାକୁ ନେଇ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରାଯାଇଛିି ।
ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ, ରାଜ୍ୟ କାର୍ଯ୍ୟକାରି ସଭାପତି ଶ୍ରୀ ଚିନ୍ମୟ ଦାସ ଓ କଟକ ଜିଲ୍ଲା ସଭାପତି ଶ୍ରୀ ସୁମନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇପ୍ସିତା ସାହୁ କହିଛନ୍ତି ଯେ, ରାଜ୍ୟର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ବିଶ୍ୱବିଦ୍ୟାଳୟର ପରିସରରୁ ରାଜରାସ୍ତାରେ ପହଞ୍ଚିଲାଣି । ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଛନ୍ତି ।
ରେଭେନ୍ସା ଭଳି ପୂରାତନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ପାଣିକୁ ନେଇ ସମସ୍ୟା ଦେଖା ଦେଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ବିନା ଡାକରାରେ ବିଧାୟକ ଶ୍ରୀ ସେଠୀ ସେଠାରେ ପହଞ୍ଚି ବିବାଦ ସୃଷ୍ଟି କରିଥିଲେ । ଉକ୍ତ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିଲେ । ଜଣେ ବିଧାୟକ ହୋଇ ଏହିପରି ବ୍ୟବହାର ଜମାରୁ ଗ୍ରହଣୀୟ ନୁହେଁ ।
ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଏମିତି ଥିଲା ଯେ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ଏଫଏମ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବାଦ ପାଇଁ ବିଜେପି ସରକାର ହିଁ ଦାୟୀ ।
ଏତେ ପରେ ମଧ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିରବ ରହିଛନ୍ତି । ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶର ସୁରକ୍ଷା ପାଇଁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ରହିଛନ୍ତି ।
ଏହି ବିବାଦ ଏବେ ଛାତ୍ରଛାତ୍ରୀ ଆନେ୍ଦାଳନ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଆନେ୍ଦାଳନ ଜାରି ରଖିଛନ୍ତି । ବିଧାୟକ ଶ୍ରୀ ସେଠୀ ବିଜେପିର ବିଧାୟକ ହୋଇଥିବାରୁ ତାଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ କରିଛନ୍ତି ।
ଶ୍ରୀ ଚିନ୍ମୟ ଦାସ କହିଛନ୍ତି ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଏକ ମାଇଲଖୁଣ୍ଟ ।
ବିଧାୟକ ଶ୍ରୀ ସେଠୀଙ୍କ ଏହିପରି ବ୍ୟବହାର ଉକ୍ତ ବିଶ୍ୱବିଦ୍ୟାଳୟର ଜଣେ ପୂରାତନ ଛାତ୍ର ଭାବେ ଆମକୁ ଆଘାତ ଦେଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଆମ ଗର୍ବ, ଗୌରବ, ଐତିହ୍ୟ ସହ ଓଡ଼ିଆ ଅସ୍ମିତା ସହ ଜଡ଼ିତ । ତେବେ ଓଡ଼ିଆ ଅସ୍ମିତାର ସୁରକ୍ଷା ନେଇ ଦ୍ୱାହି ଦେଉଥିବା ବିଜେପି ସରକାର ଆଜି ଏହାକୁ ନିନ୍ଦିତ କରିଛି । ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି ।
ବିଶ୍ୱବିଦ୍ୟାଳୟ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବିଭିନ୍ନ ସମସ୍ୟା ଲାଗି ରହିଛି । ତେବେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିବାଦରେ ବିଧାୟକ ଶ୍ରୀ ସେଠୀ ବିନା ଡାକରାରେ ଯାଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦୁର୍ବବ୍ୟବହାର କରିବା ଗ୍ରହଣୀୟ ନୁହେଁ ।
ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ଉନ୍ନତି ନେଇ ସଦା ସର୍ବଦା ପ୍ରୟାସ ଜାରି ରଖିଥିଲେ ।
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସୁନ୍ଦର ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଳିଛନ୍ତି । କିନ୍ତୁ ବର୍ତ୍ତମାନ ଉନ୍ନତ ଶୈକ୍ଷିକ ପରିବେଶକୁ ନଷ୍ଟ କରିବାକୁ ବିଜେପି ସରକାର ଲାଗି ପଡିଛି ।
ସେହିପରି ଶ୍ରୀ ସୁମନ ବେହେରା କହିଛନ୍ତି ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠି ସୁନାମ ରହିଛି । କିନ୍ତୁ ବିଜେପି ସରକାର ତାହାର ଗାରିମା ନଷ୍ଟ କରିବାରେ ଲାଗି ପଡିଛି ।
ବିଜେପି ଶାସନକୁ ଆସିବା ପରଠୁ ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାକୁ ଲାଗି ପଡିଛନ୍ତି ।
ବିଧାୟକ ଶ୍ରୀ ସେଠୀ ଏହିପରି ବ୍ୟବହାର କରି ପୁଣି କଟକକୁ ନିନ୍ଦିତ କରିଛନ୍ତି । ଗୁରୁ ମାନଙ୍କୁ ଯେଉଁ ପରି ଦୁର୍ବବ୍ୟବହାର କରିଛନ୍ତି, ତାହା ଜମାରୁ ଗ୍ରହଣୀୟ ନୁହେଁ ।