୩୨ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ
ଓଡ଼ିଶାର ଅର୍ଥନୀତିର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ପ୍ରକଳ୍ପର ଉଦଘାଟନ କରିବା ସହ ୨୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଓଡ଼ିଶାର ଅର୍ଥନୀତିର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ପ୍ରକଳ୍ପର ଉଦଘାଟନ କରିବା ସହ ୨୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ଏହି ପ୍ରକଳ୍ପ ପାଇଁ ୬୯୯୩ କୋଟି ଟଙ୍କା ନିବେଶ ହେବା ସହ ୨୪୫୦୮ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ବଲାଙ୍ଗୀର, ବୌଦ୍ଧ, କଟକ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ।
ଏହି ଅବସରରେ ନବୀନ କହିଲେଯେ, ଆମର ଶିଳ୍ପ ମାନଚିତ୍ର ସମ୍ପ୍ରସାରିତ ହୋଇଛି । ନିର୍ମାଣ, ବୟନଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିଛି । ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଇଜି ଅଫ ଡୁଇଙ୍ଗ ବିଜିନେସ ର୍ୟାକିଂ ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି । ଓଡ଼ିଶାରେ ଏବେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରତିଷ୍ଠା ହେବା ସହ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ୱାରୋପ କରାଯାଉଛି । ଭିଡ଼ିଓ କନଫେରେନ୍ସିଂ ଜରିଆରେ ରାଜ୍ୟର ୧୪ ଜିଲ୍ଲାରେ ୩୨ ପ୍ରକଳ୍ପର ଶିଳାନ୍ୟାସ କରି ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭାସ୍କର ଷ୍ଟିଲ ଆଣ୍ଡ ଫେରୋ ଆଲଏଜ କମ୍ପାନୀ ପକ୍ଷରୁ ସୁନ୍ଦରଗଡ଼ରେ ଏକ ଷ୍ଟିଲ ବିଲେଟ, ରୋଲିଂ ମିଲ୍ ଓ ସ୍ପଞ୍ଜ ଆଇରନ ପ୍ଳାଂଟ ପ୍ରତିଷ୍ଠା କରିଛି । ଏଥିରେ ୨୯୮ କୋଟି ଟଙ୍କା ନିବେଶ ସହ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସୁବର୍ଣ୍ଣପୁରରେ ୨୯୯ କୋଟି ଟଙ୍କା ବ୍ୟୟରେ ମାସ ବାଇଓଫୁଏଲ କାରଖାନା ପ୍ରତିଷ୍ଠା ହୋଇଛି । ସେହିପରି ଖୋର୍ଦ୍ଧାରେ ୧୦୦ କୋଟି ବ୍ୟୟରେ ଚଲାହ ଇନଫ୍ରାଟେକ, ବଲାଙ୍ଗୀରରେ ୮୯ କୋଟି ବ୍ୟୟରେ ଆଦିତ୍ୟ ବିର୍ଲା ରିନ୍ୟୁୟେବଲ, ଯାଜପୁରରେ ଆବିସ ଏକ୍ସପୋର୍ଟସ ଇଣ୍ଡିଆ, ଖୋର୍ଦ୍ଧାରେ ଏନକେ ଆନନ୍ଦ ଫୁଟ ୱେୟାର, ସମ୍ବଲପୁରରେ ସିଗମା ଟ୍ୟୁବସ ଆଣ୍ଡ ପାଇପସ, ଝାରସୁଗୁଡ଼ାରେ ମେ ଫେୟାର ହୋଟେଲ ଆଣ୍ଡ ରିସୋର୍ଟସ, ଯାଜପୁରରେ ସାଇଜର ଏଂଟରପ୍ରାଇଜର୍ସ କମ୍ପାନୀ ପ୍ରତିିଷ୍ଠା କରିଛି । ଏହି ପ୍ରକଳ୍ପଗୁଡ଼ିକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।
ସେହିପରି ଖୋର୍ଦ୍ଧାରେ ଆମ୍ପିନ ସୋଲାର ୱାନ, ଝାରସୁଗୁଡ଼ାରେ ଇପସିଲନ କାର୍ବନ ଅଶୋକା, ସମ୍ବଲପୁରରେ ହିଣ୍ଡାଲକୋ, ଖୋର୍ଦ୍ଧାରେ କାଲଡେରିଜ ଇଣ୍ଡିଆ ରିଫ୍ରାକ୍ଟୋରି, ଜଗତସିଂହପୁରରେ ଆଇଓଏନ ଏକ୍ସଚେଞ୍ଜ, ବୌଦ୍ଧରେ ଏମଜିଏମ ବାଇଓଫୁଏଲ, କଳିଙ୍ଗନଗରରେ ଜଟିଆ ଷ୍ଟିଲ, ଯାଜପୁରରେ ଭିସିଆଇ କେମିକାଲ ଇଣ୍ଡଷ୍ଟ୍ରିଜ, ପୁରୀରେ ଏମଜିଏମ ରିସୋର୍ଟସ, ଝାରସୁଗୁଡ଼ାରେ ସେଂଚୁରୀ ଏକ୍ସଟ୍ରୁଜନସ, ଯାଜପୁରରେ ଆବିସ ଏକ୍ସପୋର୍ଟ, ଖୋର୍ଦ୍ଧାରେ ପୁର୍ବ ପ୍ୟାକେଜିଂ, କେନ୍ଦୁଝରରେ କ୍ରାକରସ ଇଣ୍ଡିଆ ଆଲୟ, ଜଗତସିଂହପୁରରେ ପର୍ଲ ପ୍ରିସିସନ ପ୍ରଡ଼କ୍ଟସ, ଗଞ୍ଜାମରେ ଓଡ଼ିଶା ନିର୍ମାଣ ଉଦ୍ୟୋଗ କାରଖାନା ପ୍ରତିଷ୍ଠା କରିବ । ଏହାଛଡ଼ା ସୁନ୍ଦରଗଡ଼ରେ ଏସଏଲଏମ ପାଉଡ଼ରସ, କଟକରେ ପ୍ରଗତି ମିଲ୍କ, ରାୟଗଡ଼ାରେ ଟେରେଷ୍ଟ୍ରିରାଲ ଫୁଡ଼ ପ୍ରୋସେସରସ, ସୋନପୁରରେ ଅରୁନ୍ଧତୀ ବାନ୍ଧକଳା ଏଲଏଲପି, କେନ୍ଦୁଝରରେ ଅଫସୋର ଇନଫ୍ରାଷ୍ଟ୍ରକଚର, ପୁରୀରେ ମିଲ୍କ ମନ୍ତ୍ର ଡାଏରୀ ଓ ସୁନ୍ଦରଗଡ଼ରେ ରାମକୋ ଆଲୁମିନେଟସ କାରଖାନା କରିବ । ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।