ନବରାତ୍ରର ଷଷ୍ଠ ଦିବସରେ ମା କାତ୍ୟାୟନୀ ପୂଜା ର ବିଶେଷତ୍ୱ...
ନବରାତ୍ରର ଷଷ୍ଠ ଦିବସରେ
ମା କାତ୍ୟାୟନୀ ପୂଜା ର ବିଶେଷତ୍ୱ...
କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ ।
ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ ।
ଖ୍ରୀଷ୍ଟ ପୂର୍ବ ୨ୟ ଶତାବ୍ଦୀରେ ରଚିତ ପତଞ୍ଜଳିଙ୍କ ମହାଭାଷ୍ୟରେ ଏହା ଉଲ୍ଲିଖିତ ରହିଛି ଯଦୁର୍ବେଦ ସ୍କନ୍ଧ ପୁରାଣରେ ଅରଣ୍ୟକଖଣ୍ଡରେ କାତ୍ୟାୟନୀଙ୍କ ବିଷୟରେ ବର୍ଣ୍ଣନା ରହିଛି ।
ସେଥିରେ କାତ୍ୟାୟନୀ ଦେବତା ମାନଙ୍କ କ୍ରୋଧରୁ ଆପେ ଆପେ ସୃଷ୍ଟି ହେଇଥିବା କଥା ଜଣାପଡେ । ଦାନବ ମହିଷାସୁରକୁ ବଧ ପାଇଁ ଦେବତା ମାନେ ତାଙ୍କୁ ସୃଷ୍ଟି କରିଥିଲେ ।
ସେ ଦେବୀ ପାର୍ବତୀଙ୍କ ସିଂହ ବାହନ ଆରୋହଣ କରି ମହିଷାସୁରକୁ ବଧ କରିଥିଲେ ଏବଂ ଏହି ବିଜୟ ଉତ୍ସବ ସମୟକୁ ବିଜୟାଦଶମୀ ବା ଦୁର୍ଗାପୂଜା ଭାବରେ ପାଳନ କରାଯାଏ ।
ପ୍ରାଚୀନ ବିଦ୍ୱାନ ମାର୍କଣ୍ଡେୟ ଋଷିଙ୍କଦ୍ୱାରା ୪୦୦/୫୦୦ ମସିହାରେ ରଚିତ ସଂସୃତ ମହାକାବ୍ୟର 'ଦେବୀ ଭାଗବତ ପୁରାଣ ଓ ଦେବୀ ମାହାତ୍ମ୍ୟମ ଖଣ୍ଡରେ କାତ୍ୟାୟିନୀଙ୍କ ଉପରେ ବିଶଦ ବର୍ଣ୍ଣନା ରହିଛି ।
ତାଙ୍କର ଉପସ୍ଥିତିର ପ୍ରଭାବ ବୌଦ୍ଧ ଓ ଜୈନ ତଥା ତାନ୍ତ୍ରିକ ଲିପି ମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ୧୦ମ ଶତାବ୍ଦୀରେ ଲିଖିତ କାଳୀକା ପୁରାଣରେ ଉଡ୍ଡୀଯାନ ବା ଉଡ୍ରଦେଶ ( ପ୍ରାଚୀନ ଓଡ଼ିଶା )କୁ ମହାଦେବୀ କାତ୍ୟାୟିନୀ ଓ ଭଗବାନ ଜଗନ୍ନାଥଙ୍କ ଆସ୍ଥାନ ବୋଲି ଉଲ୍ଲିଖିତ ରହିଛି ।
ପୁରାତନ ଲୋକ କଥା ହିସାବରେ କାତ୍ୟାୟିନୀ , କାତ୍ୟାୟନ ରିଷିଙ୍କ ଝିଅ ହିସାବରେ ଜନ୍ମ ହେଇଥିଲେ ।
କିନ୍ତୁ କାଳିକା ପୁରାଣରେ ରିଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚିତି ମିଳିଥିଲା । ସେ ଯାହା ହଉ ସେ ମା ଦୁର୍ଗାଙ୍କ ଅବତାର ଭାବରେ ନବରାତ୍ରର ଷଷ୍ଠ ଦିବସରେ ପୂଜିତ ହୁଅନ୍ତି।
ବାମନ ପୁରାଣରେ ମଧ୍ୟ କାତ୍ୟାୟନୀଙ୍କ ସୃଷ୍ଟି ବିଷୟରେ ବିଶଦ ବର୍ଣ୍ଣନା ରହିଛି। ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀର ସାଧୁ ସନ୍ଥ ତଥା ସାଧାରଣ ଲୋକଙ୍କ ଉପରେ ଅସହ୍ୟ ହେଇଯିବାରୁ ଦେବତା ମାନେ ଭଗବାନ ବିଷ୍ଣୁଙ୍କୁ ଏହାର ପ୍ରତିକାର ପାଇଁ ଅନୁରୋଧ କଲେ ।
ଭଗବାନ ବିଷ୍ଣୁ , ବ୍ରହ୍ମା , ଶିବ ତଥା ଅନ୍ୟ ମୁଖ୍ୟ ଦେବତା ମାନଙ୍କୁ ଡକାଇ ସେମାନଙ୍କ ସମ୍ମିଳିତ ଶକ୍ତି ନୟନର ପ୍ରଖର ଜ୍ୱଳିତ ଶିଖା ହିସାବରେ ପ୍ରେରଣ କରି କାତ୍ୟାୟନୀଙ୍କ ସୃଷ୍ଟି କଲେ । ସହସ୍ର ସୂର୍ଯ୍ୟର ତେଜ ପାଇବା ସହ ସେ ୧୮ଟି ହାତ ମଧ୍ୟ ପାଇଲେ ।
ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର , ଶିବ ତାଙ୍କର ତ୍ରିଶୂଳ , ବରୁଣ ତାଙ୍କର ଶଙ୍ଖ , ଅଗ୍ନି ଦେବ ତାଙ୍କର ଶିଖା , ବାୟୁଦେବତା ତାଙ୍କର ବତାଶ , ଏହିପରି ସମସ୍ତ ଦେବ ଦେବୀ ତାଙ୍କର ଶକ୍ତି ବା ଅସ୍ର କାତ୍ୟାୟନୀଙ୍କୁ ପ୍ରଦାନ କାଲେ ।
ଏହି ସବୁ ଶକ୍ତି ବଳରେ ବଳୀୟାନ ହେଇ କାତ୍ୟାୟନୀ ଅସୁର ମାନଙ୍କ ରାଜା ମହିଷାସୁର ସାଙ୍ଗରେ ଯୁଦ୍ଧ କଲେ ଓ ତାଙ୍କୁ ପରାସ୍ତ କରି ବଧ କଲେ ।