ରଜପର୍ବ ଆମ ଗଣପର୍ବ

ରଜପର୍ବ ର ବିଶେଷତ୍ଵ:::
ଓଡିଶାର ଗଣପର୍ବ ।
ଜାତି, ବର୍ଣ, ମତ ଓ ପନ୍ଥ ନିର୍ବିଶେଷରେ ପାଳିତ ହେଉଥିବା ପ୍ରତ୍ୟେକ ଓଡ଼ିଆଙ୍କ ଲୋକକଥା ଓ ସଂସ୍କୃତି ର ପରିଚୟ। ଛୁଆଁ ଅଛୁଆଁ, ସବର୍ଣ୍ଣ ଅସବର୍ଣ, ଦଳିତ ଓ ବନବାସୀଙ୍କର ବନ୍ଧନ କୁ ଭାଙ୍ଗି ସବୁ ଓଡ଼ିଆଙ୍କୁ ଏକସୂତ୍ର ରେ ବାନ୍ଧି ଗାଁ ଗାଁ ରେ ସାମାଜିକ ଏକତାର ପରିଚୟ ଦିଏ।
# *ନାରୀସମ୍ମାନ ର ପର୍ବ*।
ଏହା ପ୍ରତ୍ୟେକ ଓଡ଼ିଆଣିମାନଙ୍କର ସବୁଠୁ ଅପେକ୍ଷିତ ପର୍ବ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ଏହିପର୍ବ ।
# ସେହିପରି ପୁରୁଷ ଙ୍କ ପାଇଁ ଏହା ଶକ୍ତି, ସାମର୍ଥ୍ୟ, ସୌନ୍ଦର୍ଯ୍ୟ ଓ ଭାଇଚାରା ର ପର୍ବ ହୋଇଥାଏ। ପ୍ରତି ଗାଁ ରେ ଏହି ଚାରିଦିନ ଯୁବକମାନେ କବାଡି, ବାଗୁଡି ଆଦି ଖେଳଖେଳନ୍ତି। ବହୁ ସ୍ଥାନରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୁଏ ।
#ସେହିପରି କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ଏକ ଶିକ୍ଷା ପ୍ରଦାୟନୀ ପର୍ବ । ବଡ଼ିଭୋରରୁ ଉଠି ପାଦରେ ଅଳତା, ମଥା ରେ କୁକୁମ, ଓ ହାତରେ ମେହେନ୍ଦୀ ଆଦି ବିଭିନ୍ନ ଚିତ୍ର କରି ନୂତନ ବସ୍ତ୍ର ରେ ସଜବାଜ ହୁଅନ୍ତି ଓ ରଜପାନ ଖାଇ ଦୋଳି ଖେଳ, ପୁଚି ଖେଳରେ ସମୟ ବିତେ। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ ।
ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି ।
ଘରର ଗୃହୀଣି ମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳ ଖେଳନ୍ତି । ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ନ ଚାଲି କଦଳୀ ପାଟୁଙ୍ଗା / ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ।
# ଏହା ମୁଖ୍ୟତଃ ତିନିଦିନ ପାଳନ ହେଉଥିଲେ ମଧ୍ୟ ପ୍ରାୟ ଏହାର ପ୍ରଭାବ ଚାରି ଦିନ ଧରି ରହିଥାଏ। *ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ଓ ଶେଷ ଦିନ କୁ ବସୁମତୀ ସ୍ନାନ* କୁହାଯାଏ । ତାପର ଦିନ କୁ ବାସୀ ରଜ କୁହାଯାଏ ।
# ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବା ଓ ନୂତନ ଶସ୍ୟ ଜନ୍ମ ଦେବାର ସାଙ୍କେତିକ ଭାବ ବହନ କରିଥାଏ । ରୌଦ୍ର ତାପରେ ଦଗ୍ଧ ହେଉଥିବା ଧରିତ୍ରୀ ମା' ପ୍ରାକ୍ ମୌସୁମୀର ପହିଲି ସ୍ପର୍ଶରେ ଲଜ୍ଜାଶୀଳ ବା ରଜସ୍ୱଳା ହୁଏ। ରଜସ୍ଵଳା ନାରୀ ଅସ୍ପର୍ଶ ରହିଲା ପରି ବସୁଧା ମାତା କୁ ଅସ୍ପୁର୍ଶ୍ୟ ରଖାଯାଏ । ସେଥିପାଇଁ କୌଣସି କୃଷି କାର୍ଯ୍ୟ ବା ହଳ ଲଙ୍ଗଳ କାମ ହୁଏ ନାହିଁ କିମ୍ବା ଧରିତ୍ରୀ ମାତା କୁ ଖାଲି ପାଦରେ ସ୍ପର୍ଶ କରାଯାଏ ନାହିଁ।
#ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧା'ମାତାଙ୍କ ଶୁଦ୍ଧସ୍ନାନ । ଏହା *ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ* ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ *ଆଧ୍ୟାତ୍ମିକତା* ସ୍ଥାନ ନେଇଥାଏ ।
ଏହି ରଜ ମହୋତ୍ସବକୁ ଓଡ଼ିଆ ଜାତିର ଜାତୀୟ ମହୋତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ ।
# ରଜ ମହୋତ୍ସବ ଅବସରରେ ଅଗଣିତ ଓଡ଼ିଆ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ, ଚେତନାତ୍ମକ ଐକ୍ୟର ଗୌରବରେ ଉଲ୍ଲସିତ ହୋଇ ଥାଆନ୍ତି #ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- *ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ* ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟା ହୋଇଥାଏ। ତେଣୁ ରଜପର୍ବ ଏହି ଭାବେ ମଧ୍ୟ ପାଳନ କରାଯାଏ ।
*ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ* । ଏହି ସମୟରେ ଅନେକ ସ୍ଥାନରେ ଗୀତା-ଭାଗବତ ପାଠ, ପାରାୟଣ, ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ ।
# ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ । କିନ୍ତୁ ଏ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଝିଅ ମାନଙ୍କର ଦୋଳି ଓ ପୁଚିଖେଳ ଓ ପୁଅ ମାନଙ୍କର କବାଡ଼ି ଖେଳ। ସେହିପରି ବୟସ୍କ ମାନଙ୍କର ତାସ ଓ ଲୁଡୁ ଖେଳ ସହିତ ଘରେ ଘରେ ନାରୀ ମାନଙ୍କ ପିଠା ପଣାର ମହକ।
# ଆଦିବାସୀମାନଙ୍କର ଗଭୀର ବିଶ୍ଵାସ ମା' ସୀତା ଏହିଦିନ ଗର୍ଭବତୀ ହୋଇଥିଲେ। ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି । କୃଷକ କୃଷି କର୍ମରେ ତତ୍ପର ହୁଏ।
ସୌଜନ୍ୟ - "ଆଶା ଭରସା" ଚିର ସବୁଜ ଖବର କାଗଜ, ଭୁବନେଶ୍ବର; www.avnews24.in