ସାବିତ୍ରୀ ବ୍ରତର ପ୍ରଚ୍ଛଦପଟ କାହାଣୀ ବା ମହାସତୀ ସାବିତ୍ରୀ ଗାଥା...
ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ l ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକ ମାନେ ଏହି ବ୍ରତ ପାଳନ କରିଥାନ୍ତି l
ଏହି ବ୍ରତ ପଛରେ ମହର୍ଷି ବ୍ୟାସକୃତ ସଂସ୍କୃତ ମହାଭାରତରେ ଏକ ଅତି ସୁନ୍ଦର ବଳିଷ୍ଠ କାହାଣୀ ରହିଛି l
ଏହି କାହାଣୀ ମଧ୍ୟରେ ଲୁଚି ରହିଥିବା ଦାର୍ଶନିକ ତତ୍ତ୍ୱକୁ ମହାଯୋଗୀ ସନ୍ଥ ଶ୍ରୀ ଅରବିନ୍ଦ ଉପସ୍ଥାପନ କରିଛନ୍ତି ତାଙ୍କର ସାବିତ୍ରୀ ମହା କାବ୍ୟରେ l
ଏହି ରୋଚକ କାହାଣୀ ମହାଭାରତରେ ମହର୍ଷି ଵୈସମ୍ପାୟାନ ଉବାଚରେ ବନପର୍ବ ସପ୍ତମ ସ୍କନ୍ଧ 293 ରୁ 299 ଅଧ୍ୟାୟରେ ପତିବ୍ରତା ମାହାତ୍ମ୍ୟ ଭାବେ ବର୍ଣ୍ଣିତ ହୋଇଛି l
ଏହା ସେହି ସମୟର କଥା ଯେତେବେଳେ ପାଣ୍ଡଵମାନେ କପଟ ପଶା ଖେଳରେ ପରାଜିତ ତଥା ରାଜ୍ୟହରା ହୋଇ ବନ ବାସୀ ହୋଇଥାନ୍ତି l
ଧର୍ମରାଜ ଯୁଧିଷ୍ଠିର ମହାମୁନି ମାର୍କଣ୍ଡେୟଙ୍କୁ ପ୍ରଶ୍ନ କରିଥିଲେ କଣ ଏ ଦୁନିଆରେ ଦ୍ରୌପଦୀଙ୍କ ଭଳି ଆଉ କୌଣସି ପତିବ୍ରତା ତଥା ତ୍ୟାଗପୁତା ନାରୀ ଅଛନ୍ତି,ଯଦି ଜାଣିଥାନ୍ତି ତେବେ ମୋତେ କୁହନ୍ତୁ ?
ଧର୍ମରାଜଙ୍କର ଏହି ପ୍ରଶ୍ନ ଶୁଣି ମାର୍କଣ୍ଡେୟ ମୁନି କହିଲେ ହଁ ଏଭଳି ଜଣେ ନାରୀ ଅଛନ୍ତି ତାଙ୍କ ବିଷୟରେ କହୁଛି ଧ୍ୟାନ ସହକାରେ ଶୁଣ l ସେ କଥା ଆରମ୍ଭ କଲେ :-
ପୂର୍ବେ ମହାସତୀ ସାବିତ୍ରୀ ତାଙ୍କର ପତିବ୍ରତା ଧର୍ମ ବଳରେ ଯମରାଜଙ୍କ ଠାରୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିଥିଲେ l
ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା l ମଦ୍ର ନରେଶ ମାଆ ସାବିତ୍ରୀଙ୍କ କୃପାରୁ କନ୍ୟାଟି ପାଇ ଥିବାରୁ ନାମ ରଖିଥିଲେ ସାବିତ୍ରୀ l
ସେହି କନ୍ୟା ବିବାହ ଯୋଗ୍ୟା ହେବା ବେଳକୁ ମହାରାଜ ତା'ର ବିବାହ ପାଇଁ ବହୁଚିନ୍ତିତ ହୋଇପଡ଼ିଲେ l ସାବିତ୍ରୀଙ୍କୁ ସେ କହିଲେ,ତୁ ବିବାହ ଯୋଗ୍ୟା ହୋଇ ଗଲୁଣି,ଏଣୁ ନିଜ ପାଇଁ ଯୋଗ୍ୟ ବରଟିଏ ଖୋଜି ନେ,କାରଣ ଶାସ୍ତ୍ରର ମାନ୍ୟତା,କନ୍ୟା ବିବାହ ଯୋଗ୍ୟା ହୋଇ ଗଲା ପରେ ଯେଉଁ ପିତା କନ୍ୟା ବିବାହ କରାନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି l
ଋତୁକାଳରେ ଯେଉଁ ସ୍ୱାମୀ ସ୍ତ୍ରୀ ସହବାସ କରିଥାନ୍ତି ସେ ସ୍ୱାମୀ ନିନ୍ଦାର ପାତ୍ର ଅଟନ୍ତି l ସେହିଭଳି ପିତାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ବିଧବା ମା'ର ଅନାଦାର କରି ଥାଏ,ସେହି ପୁତ୍ର ମଧ୍ୟ ନିନ୍ଦନୀୟ l
ପିତାଙ୍କଠାରୁ ଏହା ଶୁଣିବା ପରେ କନ୍ୟା ସାବିତ୍ରୀ ତୁରନ୍ତ ବର ପାତ୍ର ସନ୍ଧାନରେ ବାହାରି ପଡିଲେ l ମଦ୍ର ନରେଶ ସବାରୀରେ ସାବିତ୍ରୀଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ସହ ପଠାଇ ଦେଲେ l ରାଜର୍ଷି ଦ୍ୟୁମତ ସେନଙ୍କ ରମଣୀୟ ତପୋବନ ମଧ୍ୟରେ ସାବିତ୍ରୀ କିଛିଦିନ ବରପାତ୍ର ସନ୍ଧାନରେ ବୁଲିଲେ l
ଏକଦା ମଦ୍ର ନରେଶ ରାଜ ସଭାରେ ଦେବର୍ଷି ନାରଦଙ୍କ ସହ କଥା ହେଉଥିଲେ,ସେହି ସମୟରେ ମନ୍ତ୍ରୀଙ୍କ ସହ ସାବିତ୍ରୀ ସେହି ବାଟ ଦେଇ ରାଜ ଉଆସକୁ ପ୍ରତ୍ୟାବର୍ତ୍ତନ କଲେ l ରାଜକୁମାରୀ ସାବିତ୍ରୀଙ୍କୁ ଦେଖି ଦେବର୍ଷି ରାଜାଙ୍କୁ ତାଙ୍କ ବାହ୍ୟ ଭ୍ରମଣର ଅଭିପ୍ରାୟ ଜିଜ୍ଞାସା କଲେ, ରାଜା କହିଲେ ସେ ନିଜ ପାଇଁ ବର ପାତ୍ରର ସନ୍ଧାନରେ ଯାଇଥିଲେ l
ରାଜା, ସାବିତ୍ରୀ ଫେରି ଆସିଛନ୍ତି ଏ କଥା ଜାଣି ତାଙ୍କୁ ରାଜ ଦରବାରକୁ ଡକାଇଲେ ଓ ବରପାତ୍ର ନିର୍ବାଚନ ବିଷୟରେ ପଚାରିଲେ l
ଏହାର ଉତ୍ତର ଦେଇ ସାବିତ୍ରୀ କହିଲେ,ସେ ଶାଲ୍ଵଦେଶ ରାଜାଙ୍କ ପୁତ୍ର ସତ୍ୟବାନ,ଯିଏ ଜଙ୍ଗଲରେ ଲାଳନ ପାଳନ ହୋଇଛନ୍ତି,ତାଙ୍କୁ ହିଁ ସ୍ୱାମୀ ରୂପେ ନିର୍ବାଚନ କରି ଛନ୍ତି l
ରାଜକୁମାରୀଙ୍କ ଠାରୁ ଏହା ଶୁଣି ଦେବର୍ଷି ନାରଦ କହିଲେ, ରାଜନ ! ଏହା ବହୁତ ଦୁର୍ଭାଗ୍ୟ ଜନକ ଓ ଦୁଃଖଦାୟୀ l ସାବିତ୍ରୀ ଯେଉଁ ବରକୁ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ l ତାଙ୍କର ପରମାୟୁ ଆଜି ଠାରୁ ମାତ୍ର ଏକ ବର୍ଷ ଅଛି l ଏପରି ଏକ ସ୍ୱଳ୍ପାୟୁ ବର ସହ ରାଜକୁମାରୀଙ୍କ ବିବାହ ଅନୁଚିତ l ଏ କଥା କହି ଦେବର୍ଷି ପ୍ରସ୍ଥାନ କଲେ l
ସାବିତ୍ରୀ ରାଜାଙ୍କୁ କହିଲେ, ପିତା ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ ସେହିଭଳି ସେ ତାଙ୍କର ବରପାତ୍ର ନିର୍ବାଚନ କରି ସାରିଛନ୍ତି ଏବଂ ସେ ସତ୍ୟବାନଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ l
ଅନୋନ୍ୟପାୟ ହୋଇ ସତ୍ୟବାନଙ୍କ ସହ ପୂର୍ଣ୍ଣ ମର୍ଯ୍ୟାଦା ଏବଂ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରାଜା ସାବିତ୍ରୀଙ୍କ ବିବାହ କରାଇ ଦେଲେ l
ବିବାହପରେ ସତ୍ୟବାନ ସାବିତ୍ରୀଙ୍କର ହସଖୁସିର ଜୀବନ ବିତି ଚାଲିଥିଲା ଏବଂ ଦେବର୍ଷି ନାରଦଙ୍କ କହିବା ଅନୁଯାୟୀ ସତ୍ୟବାନଙ୍କ ମୃତ୍ୟୁର ଦିବସ ମଧ୍ୟ ନିକଟ ବର୍ତ୍ତୀ ହେଉଥିଲା l ଦିନ ପରେ ଦିନ ଗଣି ଚାଲିଥାନ୍ତି ସାବିତ୍ରୀ l ସତ୍ୟବାନଙ୍କ ମୃତ୍ୟୁକୁ ଆଉ ମାତ୍ର ଚାରିଦିନ ବାକି ଥାଏ, ସାବିତ୍ରୀ ତିନି ଦିନର ବ୍ରତ ପାଳନ କଲେ l ଜଙ୍ଗଲରୁ ସେମାନେ କାଠ କାଟି ଜୀବିକା ନିର୍ବାହ କରୁଥାନ୍ତି l ଅନ୍ତିମ ଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ କାଟିବାକୁ ଗଲେ ସାବିତ୍ରୀ ତାଙ୍କ ସହ ବାହାରିଲେ ଯିବା ପାଇଁ l ଜଙ୍ଗଲରେ ଯାତ୍ରା ଅତ୍ୟନ୍ତ କଠିନ ଓ ବିପଦପୂର୍ଣ୍ଣ l
ଏଣୁ ସତ୍ୟବାନ ସାବିତ୍ରୀଙ୍କୁ ବାରଣ କଲେ l ମାତ୍ର ସାବିତ୍ରୀ ତାଙ୍କ କଥା ନ ମାନି ତାଙ୍କ ସହ ଅରଣ୍ୟକୁ ଗଲେ l ସେ ଯେ ଅଳ୍ପାୟୁ ଏବଂ ତାଙ୍କର ମୃତ୍ୟୁ ଆସି ସନ୍ନିକଟ ହୋଇଛି,ଏ କଥା କେବଳ ସାବିତ୍ରୀଙ୍କୁ ଜଣା ଥିଲା l
ସତ୍ୟବାନ କାଠ ହାଣୁଥାନ୍ତି,ହଠାତ ତାଙ୍କ ଦେହ ଅବଶ ହୋଇପଡ଼ିଲା l ମୁଣ୍ଡ ଘୁରାଇ ଦେଉଥାଏ l ଦେହ ଖୁବ ଦୁର୍ବଳ ଲାଗୁଥାଏ, ବସିବାର ଶକ୍ତି ନ ଥାଏ l ସେ ସାବିତ୍ରୀଙ୍କୁ କହିଲେ,ପ୍ରିୟେ ! ଦେହଟା କିପରି ଲାଗୁଛି, ମୋର ଭାରି ଶୋଇବାକୁ ଇଚ୍ଛା ହେଉଛି l
ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତକକୁ ନିଜ କୋଳରେ ରଖିଲେ l ସତ୍ୟବାନ ଝାଉଁଳି ପଡ଼ିଥାନ୍ତି ସାବିତ୍ରୀଙ୍କ କୋଳରେ l ମୃଦୁ ହସ୍ତ ଚାଳନାରେ ସାବିତ୍ରୀ ସତ୍ୟବାନଙ୍କ କପାଳକୁ ଆଉଁସି ଦେଉଥାନ୍ତି l
ଏହି ସମୟରେ ସେଠାରେ ଉପସ୍ଥିତ ହେଲେ ମୃତ୍ୟୁଦେବତା ଯମ l ଯମରାଜ ସତ୍ୟବାନଙ୍କ ପିଣ୍ଡରୁ ପ୍ରାଣ ବାହାର କରି ଚର୍ମରଜ୍ଜୁ ଦ୍ୱାରା ବନ୍ଧନ କଲେ ଓ ଦକ୍ଷୀଣ ଦିଗ ଯମଲୋକ ଅଭିମୁଖେ ଅଗ୍ରସର ହେଲେ l
ଯମରାଜଙ୍କୁ ସାବିତ୍ରୀ, ସ୍ବାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେବା ପାଇଁ ବାରମ୍ବାର ଅନୁନୟ କରୁ ଥାନ୍ତି l
ଯମରାଜ ଏଥିରେ ନିଜ ଅକ୍ଷମତା ପ୍ରକାଶ କରନ୍ତେ, ସାବିତ୍ରୀ ତାଙ୍କୁ ଅନୁସରଣ କରିବାରେ ଲାଗିଲେ l ଯମରାଜ ଏଥିରୁ ତାଙ୍କୁ ନିବୃତ କରି କହିଲେ,କଲ୍ୟାଣୀ, ତୁମ୍ଭେ ଫେରିଯାଅ l ସ୍ୱାମୀଙ୍କ ଜୀବନ ବଦଳରେ ଇଛାକର ତ, ଅନ୍ୟ କିଛି ବର ମାଗିପାର l
ସତ୍ୟବାନଙ୍କର ପିତା ତଥା ସାବିତ୍ରୀଙ୍କ ଶ୍ୱଶୁର ରାଜା ଦ୍ୟୁମତସେନ ଥିଲେ ଚକ୍ଷୁହୀନ l ସେ ଶତ୍ରୁ ମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇ ଥିଲେ ଏବଂ ଅରଣ୍ୟରେ ବାସ କରୁଥିଲେ l ଯମରାଜଙ୍କ ଠାରୁ ଏ ଆଶାପୂର୍ଣ୍ଣ ବାକ୍ୟ ଶୁଣି ଦେବୀ ସାବିତ୍ରୀ ବର ସ୍ୱରୂପେ ଶ୍ଵଶୁରଙ୍କ ଚକ୍ଷୁଦାନ,ତାଙ୍କ ହରାଇ ଥିବା ରାଜ୍ୟ ପ୍ରାପ୍ତି ଓ ନିଜ ପିତାଙ୍କ ପାଇଁ ଏକଶତ ପୁତ୍ର ପ୍ରାପ୍ତିର ବର ମାଗିଲେ l ଯମରାଜ ତଥାସ୍ତୁ ! କହି ଆଗେଇ ଚାଲିଲେ l
କିଛି ସମୟପରେ ଯମରାଜ ଦେଖିଲେ ସାବିତ୍ରୀ ତାଙ୍କୁ ପୁଣି ଅନୁସରଣ କରୁଛନ୍ତି l ଯମରାଜ ବୁଲି ପଡ଼ି ପୁଣି ତାଙ୍କୁ ବାରଣ କରି କହିଲେ,କଲ୍ୟାଣୀ ଏବେ ଫେରିଯାଅ l ଚାହୁଁଛ ତ ଆଉ ଏକ ଶେଷ ବର ମାଗି ନିଅ l ସାବିତ୍ରୀ ଏତିକିବେଳେ ଅତ୍ୟନ୍ତ ଚତୁରତାର ସହିତ ବରଟିଏ ମାଗିଲେ l
ଯମଙ୍କୁ ସେ ବର ପ୍ରାର୍ଥନା କରି କହିଲେ,"ହେ ଧର୍ମରାଜ ! ମୋତେ ଏହି ଶେଷ ବରଟିଏ ଦିଅନ୍ତୁ,ଯେପରି ମୁଁ ଶତ ଯଶସ୍ବୀ ପୁତ୍ରର ଜନନୀ ହେବି l"
ସାବିତ୍ରୀ ତାଙ୍କ ପଛ ନଛାଡୁ ଥିବାରୁ ଯମରାଜ ଅତି ବିବ୍ରତ ହୋଇପଡ଼ି ଥିଲେ l ସେ ଆଗପଛ ବିଚାର ନକରି ତୁରନ୍ତ କହିଦେଲେ, ତଥାସ୍ତୁ !
ସାବିତ୍ରୀ ଆଉ କାଳ ବିଳମ୍ବ ନକରି ଯମରାଜଙ୍କୁ କହିଲେ, ଧର୍ମରାଜ ! ଆପଣ ଏବେ ବଚନ ବଦ୍ଧ ଏଣୁ ମୋର ସ୍ୱାମୀଙ୍କୁ ଜୀବନ ଫେରାଇ ଦିଅନ୍ତୁ l ଯମରାଜ କହିଲେ ଏହା କେମିତି? ସାବିତ୍ରୀ ତାଙ୍କୁ କହିଲେ, ହେ ଧର୍ମରାଜ ! ଆପଣ ମୋତେ ଶହେ ପୁତ୍ରର ଜନନୀ ହେବାପାଇଁ ବର ଦେଇସାରିଛନ୍ତି, ଏବେ କୁହନ୍ତୁ ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ର ଜନନୀ ହେବି ?
ଏଣୁ ପରୋକ୍ଷରେ ଆପଣ ମୋ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେବାପାଇଁ ବର ଦେଇ ସାରିଛନ୍ତି l
ସାବିତ୍ରୀ ଯମଙ୍କୁ ବର ମାଗିବା ପୂର୍ବରୁ ସତ୍ୟ କରାଇ ନେଇ କହିଥିଲେ :-
ସନ୍ତୋହି ସତ୍ୟେନ ନୟନ୍ତି ସୂର୍ଯ୍ୟ l
ସନ୍ତୋ ଭୂମିଂ ତପସା ଧାରୟନ୍ତି ll
ସନ୍ତୋ ଗତିର୍ଭୁତଭବ୍ୟସ୍ୟ ରାଜନ୍ l
ସନ୍ତାଙ୍ଗ ମଧ୍ୟେନାଵସୀଦନ୍ତି ସନ୍ତହଃ ll
ସାବିତ୍ରୀଙ୍କ କଥା ଯେ ଯୁକ୍ତି ଯୁକ୍ତ ତାହା ବୁଝିବାକୁ ଯମଙ୍କୁ ଆଉ ବାକି ରହିଲା ନାହିଁ l
ଡେରି ନକରି ସେ ତୁରନ୍ତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ଯମ ଲୋକ ଦିଗରେ ପ୍ରସ୍ଥାନ କଲେ l
କଥା ଶେଷ କରି ମାର୍କଣ୍ଡେୟ ମୁନି ଯୁଧିଷ୍ଠିରଙ୍କୁ କହିଲେ,ଏହିପରି ସାବିତ୍ରୀ ନିଜର ପତିବ୍ରତା ଧର୍ମ ଯୋଗୁଁ ନିଜର ପିତା ଓ ଶ୍ୱଶୁର, ଦୁଇ କୁଳର ହିତ ସାଧନ କରିବା ସହ ନିଜ ପତିଙ୍କ ଜୀବନ ଫେରି ପାଇବାପାଇଁ କ୍ଷମ ହୋଇଥିଲେ l ସେ ମହାସତୀ ସାବିତ୍ରୀର ଆଖ୍ୟା ପାଇଛନ୍ତି l
ମହର୍ଷି ଵୈସମ୍ପାୟନ ମହାଭାରତର ଏହି କଥାକୁ ଉପସ୍ଥାପନ କରି କହିଲେ, ଏହି ପ୍ରକାରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ ବୁଝାଇ ଦେଲା ପରେ ସେ ଶୋକ ସନ୍ତାପ ରହିତ ହୋଇ କାମ୍ୟକ ଅରଣ୍ୟରେ ନିବାସ କଲେ ଳ
ଯିଏ ପରମ ପାବନ ଏହି ସାବିତ୍ରୀ ଚରିତକୁ ଶ୍ରଦ୍ଧାପୂର୍ବକ ଶ୍ରବଣକରିବ ତାହାର ସମସ୍ତ ମନୋରଥ ପୂରଣ ହୋଇ ସୁଖ ଶାନ୍ତିରେ କାଳାତିପାତ କରିବ l
ମହାଭାରତର ଏହି ସାବିତ୍ରୀ ଚରିତ କଥାବସ୍ତୁରୁ ଆରମ୍ଭ ହୋଇଛି ସାବିତ୍ରୀ ବ୍ରତ l
ସଧବା ନାରୀ ମାନେ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି l
ଏହା କେବଳ ଓଡ଼ିଶା ବା ଭାରତରେ ସୀମିତ ନୁହେଁ l ନେପାଳରେ ମଧ୍ୟ ଏହା ପାଳିତ ହୋଇଥାଏ l ବିଭିନ୍ନ ପୁରାଣ ଏବଂ ବ୍ରତ କଥାରେ ଏହି ବ୍ରତ ପାଳନର ନିର୍ଦ୍ଦିଷ୍ଟ ବିଧି ରହିଛି l
ବ୍ରହ୍ମବୈବର୍ତ୍ତ ପୁରାଣର ପ୍ରକୃତିଖଣ୍ଡର ଦଶଗୋଟି ଅଧ୍ୟାୟରେ ଏହି ସାବିତ୍ରୀଚରିତ ବର୍ଣ୍ଣିତ ହୋଇଛି l ନାରଦ ଓ ନାରାୟଣଙ୍କ କଥୋପକଥନ ମଧ୍ୟରେ ଏହା ବର୍ଣ୍ଣିତ l
ଉପାଖ୍ୟାନର ଆରମ୍ଭରେ ନାରଦ ନାରାୟଣଙ୍କୁ କହିଛନ୍ତି, ହେ ପ୍ରଭୁ! ଯେଉଁ ସାବିତ୍ରୀ ଚାରିବେଦଙ୍କର ମାତା ବୋଲି ପୁରାଣରେ ପ୍ରମାଣ ଅଛି,ତାଙ୍କର ବୃତ୍ତାନ୍ତ ମୁଁ ଶୁଣିବି l
ସେ ବେଦମାତା କିପରି ପୃଥିବୀରେ ଜାତ ହେଲେ ଏବଂ ପ୍ରଥମେ ତାଙ୍କୁ କିଏ ପୂଜା କଲେ, ତାହା ମୋତେ କୁହନ୍ତୁ l
ତାହାର ଉତ୍ତରରେ ନାରାୟଣ କହିଛନ୍ତି, ସେହି ବେଦମାତାଙ୍କୁ ବ୍ରହ୍ମା ପ୍ରଥମେ ପୂଜା କଲେ,ପରେ ଦେବଗଣ ଓ ପଣ୍ଡିତମାନେ l ତା’ପରେ ଅଶ୍ୱପତି ପୃଥିବୀରେ ଏବଂ ତାଙ୍କପରେ ଚତୁବର୍ଣ୍ଣ l
ସାବିତ୍ରୀ ବ୍ରତର ବର୍ଣ୍ଣିତା ଦେବୀ ଅଶ୍ୱପତିଙ୍କର କନ୍ୟା ବା ସତ୍ୟବାନଙ୍କର ପତ୍ନୀ ନୁହନ୍ତି, ସେ ବେଦମାତା l
ସେ ସୂର୍ଯ୍ୟମଣ୍ଡଳର ଦେବୀ,ବେଦମାତା ଗାୟତ୍ରୀ ଙ୍କ ଦ୍ୱିପ୍ରହର କାଳୀନ ଧ୍ୟେୟ ରୂପ l ସେଥି ପାଇଁ ତାଙ୍କ ପୂଜା ମଧ୍ୟାହ୍ନ କାଳରେ ହୋଇଥାଏ l ରାଜା ଅଶ୍ୱପତି ତାଙ୍କୁହିଁ ଉପାସନା କରି,ତାଙ୍କ ଅଂଶରେ ସାବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ l
ଦେବୀଙ୍କ ବର୍ଣ୍ଣନା କରି ବ୍ରହ୍ମବୈବର୍ତ୍ତ ପୁରାଣରେ କୁହା ଯାଇଛି :-
ସୂର୍ଯ୍ୟ ଅଧିଦେବୀ ଆଉ ମନ୍ତ୍ର ଅଧିଷ୍ଠାତ୍ରୀ l
ଏହେତୁ ସାବିତ୍ରୀ ନାମ ଅଟେ ବେଦକର୍ତ୍ତ୍ରୀ ଲାଳ
ସାବିତ୍ରୀ ବ୍ରତ କଥାରେ ଦୁଇ ସାବିତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦେବୀ ଓ ଆଉଜଣେ ମାନବୀ l
ହେଲେ ଦୁଇଜଣ ଯାକ ସେହି ବେଦମାତା l
ବ୍ରହ୍ମ ବୈବର୍ତ୍ତ ପୁରାଣରେ ସାବିତ୍ରୀକୃତ ଏବଂ ଧର୍ମରାଜ ଯମଙ୍କୁ ନିବେଦିତ ଏକ ଅଷ୍ଟକ ଦେଖିବାକୁ ମିଳି ଥାଏ l ସେହି ଅଷ୍ଟକର ଶେଷ ପଦରେ ସାବିତ୍ରୀ କହିଛନ୍ତି :-
ମହାପାପୀ ଯଦି ପଠେନ୍ନିତ୍ୟଂ
ସାବିତ୍ରୀ କୃତ ଅଷ୍ଟକମ୍ l
ଭକ୍ତ୍ୟl ଭାବେ ଭୋ ନାରଦ
ୟମଃ କରୋତି ତଂ ଶୁଦ୍ଧଂ
କାୟ ବ୍ୟୁହେନ ନିଶ୍ଚିତମ୍ ll