ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା...

Mar 5, 2026 - 17:12
Mar 5, 2026 - 17:22
 39
ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା...

ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା...

ଜନସାଧାରଣଙ୍କ ମଧ୍ୟfରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି।

ମାର୍ଚ୍ଚ ୬, ୨୦୨୬ ତାରିଖରେ ଭାରତର ମାନ୍ୟବର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ। 

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । 

ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୭ ମାର୍ଚ୍ଚ ଠାରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ Bharatiya Nyaya Sanhita (BNS), Bharatiya Nagarik Suraksha Sanhita (BNSS) ଓ Bharatiya Sakshya Adhiniyam (BSA)କୁ ସଂଶୋଧନ କରାଯାଇଛି । 

ଏହି ନୂତନ ଆଇନଗୁଡ଼ିକ ୧ ଜୁଲାଇ ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ଔପନିବେଶିକ ଯୁଗରେ ପ୍ରଚଳିତ ଥିବା “ଦଣ୍ଡ” ବ୍ୟବସ୍ଥା ଏବେ “ନ୍ୟାୟ” ବ୍ୟବସ୍ଥାକୁ ପରିବର୍ତ୍ତନ ହୋଇଛି ବୋଲି ଡିଜିପି କହିଥିଲେ ।    

ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ ।

“ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର” — ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ ।  

ଏହା ବ୍ୟତୀତ e-Sakshya ମାଧ୍ୟମରେ ଡିଜିଟାଲ୍ ପ୍ରମାଣ ପରିଚାଳନା, NAFIS (National Automated Fingerprint Identification System) ଦ୍ୱାରା ବାୟୋମେଟ୍ରିକ ପରିଚୟ, ମୋବାଇଲ୍ ଫରେନସିକ ୟୁନିଟ୍ , ପ୍ରଯୁକ୍ତି ବିଦ୍ୟା ସହାୟତାରେ ତଦନ୍ତ ପ୍ରକ୍ରିୟା ଆଦି ସଂକ୍ରାନ୍ତରେ ବିଶଦ ଭାବେ ପ୍ରଦର୍ଶନୀରେ ଉପସ୍ଥାପନ କରାଯିବ । 

ଏହା ବ୍ୟତୀତ ପ୍ରଦର୍ଶନୀରେ “ ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । 

ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍‌ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହୋଇପାରିବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।  

ନୂତନ ଆଇନରେ ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ତଦନ୍ତକୁ ଗୁରୁତ୍ବ ପ୍ରଦାନ କରାଯାଇଛି । 

ସେହି ଅନୁଯାୟୀ, ଗୁରୁତର ଅପରାଧରେ ଫରେନସିକ ତଦନ୍ତ, ଡିଜିଟାଲ୍ ପ୍ରମାଣର ସ୍ୱୀକୃତି ଓ ସମୟସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟାକୁ ଜୋର ଦିଆଯାଇଛି।

ଏହା ସହ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସ୍ବତନ୍ତ୍ର ଯୋଜନା, ପୋଲିସ ଆଧୁନିକୀକରଣ ଓ ସଶକ୍ତିକରଣ, ମହିଳା ବିରୋଧୀ ଅପରାଧ ଉପରେ ରୋକ ଲଗାଇବା, ମାଓ ଦମନରେ Special Operations Group (SOG) ର ଭୂମିକା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ Odisha Disaster Rapid Action Force (ODRAF) ର ଅବଦାନ ଆଦି ସମ୍ପର୍କରେ ମଧ୍ୟ ପ୍ରଦର୍ଶିତକରାଯିବ ।  

“ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ। 

ବୈଜ୍ଞାନିକ ତଦନ୍ତ, ଆଧୁନିକ ପ୍ରଯୁକ୍ତି ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ସଠିକ ସମୟ ମଧ୍ୟରେ ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିପି(କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ ।