ବିଶ୍ଵକର୍ମା ପ୍ରଜାପିତା ବ୍ରହ୍ମଙ୍କ ସବିସ୍ତୃତ ଗାଥା...

Sep 17, 2026 - 16:05
 6
ବିଶ୍ଵକର୍ମା ପ୍ରଜାପିତା ବ୍ରହ୍ମଙ୍କ ସବିସ୍ତୃତ ଗାଥା...

ଭାରତୀୟ ସଂସ୍କୃତି ହେଉଛି ଶ୍ରଦ୍ଧା, ଭକ୍ତି, ପ୍ରେମ ଓ ପରମ କୃତଜ୍ଞତାର ଏକ ଚିରନ୍ତନ ନିର୍ଝର। 

ସ୍ରଷ୍ଟା ପରମାତ୍ମାଙ୍କଠାରୁ ଆରମ୍ଭ କରି ଏହି ସଚରାଚର ସୃଷ୍ଟିର ଅସ୍ତିତ୍ଵକୁ ସୁରକ୍ଷିତ ରଖିବା ସହ ଏହାର ଆବହମାନ ଅଭିବୃଦ୍ଧି ନିମନ୍ତେ ଯେଉଁ ଦେବାତ୍ମା, ମହାତ୍ମା, ଧର୍ମାତ୍ମା, ପୁଣ୍ୟାତ୍ମା, ପ୍ରକୃତି ଓ ଜୀବଜନ୍ତୁଙ୍କର ଅବଦାନ ରହିଛି, ଭାରତୀୟ ପରମ୍ପରା ସେମାନଙ୍କୁ ସର୍ବଦା ଶ୍ରଦ୍ଧା, ସମ୍ମାନ ଓ ଆରାଧନାର ସହ ପୂଜା କରିଆସିଛି। 

ଏହି ସଂସ୍କୃତିର ପ୍ରତୀକ ସ୍ୱରୂପ ଆମେ ବର୍ଷସାରା ବିବିଧ ପୂଜାପାର୍ବଣର ଆନନ୍ଦମୟ ବନ୍ଧନରେ ବାନ୍ଧି ହୋଇ ରହୁ। ଏହିସବୁ ପାବନ ପର୍ବମାନଙ୍କ ମଧ୍ୟରେ ଦେବଶିଳ୍ପୀ ଶ୍ରୀ ବିଶ୍ଵକର୍ମାଙ୍କ ଆରାଧନା ଅତ୍ୟନ୍ତ ମହିମାମଣ୍ଡିତ।

ବିଶ୍ଵକର୍ମାଙ୍କୁ କଳା, ସ୍ଥାପତ୍ୟ, ବିଜ୍ଞାନ, ଯନ୍ତ୍ର ଓ ଶିଳ୍ପ ଜଗତର ଆଦି ସ୍ରଷ୍ଟା ରୂପେ ଆରାଧନା କରାଯାଏ। 

ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗୃହେ ଗୃହେ ଯେଉଁଭଳି ମାଆ ସରସ୍ଵତୀ ଓ ପ୍ରଭୁ ଗଣେଶଙ୍କୁ ବିଦ୍ୟା-ବୁଦ୍ଧିର ଦେବଦେବୀ ରୂପେ ଆବାହନ କରାଯାଏ, ସେହିପରି କନ୍ୟା ସଂକ୍ରାନ୍ତିର ପବିତ୍ର ତିଥିରେ ଶିଳ୍ପାନୁଷ୍ଠାନ, ଲଘୁ ଉଦ୍ୟୋଗ ଓ କର୍ମଶାଳାମାନଙ୍କରେ ଦେବଶିଳ୍ପୀଙ୍କୁ ବଡ଼ ଆଡ଼ମ୍ବର ଓ ଆକୁଳତାର ସହ ପ୍ରାର୍ଥନା କରି ଗାନ କରାଯାଏ 

????ଅନୁବାଦ:- ହେ ପ୍ରଭୁ! ଆପଣ ସମସ୍ତ ପାପ ଓ ବିପତ୍ତିକୁ ନାଶ କରନ୍ତି, ଜ୍ଞାନ ଏବଂ ଉତ୍ତମ ବୁଦ୍ଧି ପ୍ରଦାନ କରନ୍ତି। ଆପଣ ବିଦ୍ୟୁତ୍ ଶକ୍ତିର ରହସ୍ୟ ଜାଣନ୍ତି ଏବଂ ଶାନ୍ତିର ରକ୍ଷା କରନ୍ତି। 

ଆପଣଙ୍କ କୃପାର ବଳରେ ମନୁଷ୍ୟ ସର୍ବଦା ସତ୍‌ବୁଦ୍ଧି ଲାଭ କରେ। ହେ ବିଶ୍ୱରୂପୀ ପରମେଶ୍ୱର, ଆପଣଙ୍କୁ ନମସ୍କାର। 

ହେ ବିଶ୍ୱକର୍ମା, ଆପଣଙ୍କୁ ପୁନଃ ପୁନଃ ପ୍ରଣାମ।

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବିଶ୍ଵକର୍ମାଙ୍କ ପ୍ରାକଟ୍ୟକୁ ନେଇ ଭିନ୍ନ ଭିନ୍ନ ଆଖ୍ୟାୟିକା ବର୍ଣ୍ଣିତ। କିନ୍ତୁ ବିଶ୍ୱକର୍ମା କେବଳ ନିଜ ଜନ୍ମ ପାଇଁ ନୁହଁନ୍ତି, ବରଂ ନିଜର ଅଲୌକିକ କର୍ମ-ସାଧନା ପାଇଁ ସର୍ବଦା ସ୍ମରଣୀୟ ଓ ପୂଜନୀୟ |

ପୌରାଣିକ ଆଖ୍ୟାନ ଅନୁସାରେ, ସୃଷ୍ଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କଳା-ଭାସ୍କର୍ଯ୍ୟପୂର୍ଣ୍ଣ, ବିସ୍ମୟକର ଓ ଦୁଃସାଧ୍ୟ ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମାଙ୍କ ଦ୍ଵାରା ହିଁ ସମ୍ପାଦିତ ହୋଇଛି।

ଆଦିକାଳରୁ ବ୍ରହ୍ମାଙ୍କର ବ୍ରହ୍ମାସ୍ତ୍ର, ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଶଙ୍କରଙ୍କର ତ୍ରିଶୂଳ— ଏହିସବୁ ଦିବ୍ୟ ଅସ୍ତ୍ରଶସ୍ତ୍ର ଭଳି ସୃଷ୍ଟିର ପ୍ରକ୍ରିୟା ମଧ୍ୟ ତିନୋଟି ମୁଖ୍ୟ ଅବସ୍ଥା ଦେଇ ଗତି କରେ। 

ପ୍ରାରମ୍ଭରେ 'ସତ୍ତ୍ୱ', ମଧ୍ୟଭାଗରେ 'ରଜଃ' ଏବଂ ଶେଷରେ 'ତମଃ' ଅବସ୍ଥା ପ୍ରାପ୍ତ ହୁଏ। ଯେତେବେଳେ ସଂସାର ତମୋପ୍ରଧାନ ହୋଇପଡ଼େ, ସେତେବେଳେ ପୁନର୍ବାର ନବସୃଷ୍ଟିର ଆବଶ୍ୟକତା ଦେଖାଦିଏ। 

ପ୍ରତି କଳ୍ପରେ କଳିଯୁଗର ଶେଷ ସମୟରେ, ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଏହି ସୃଷ୍ଟିର ପୁନଃନିର୍ମାଣ ବା ନବୀକରଣ କରନ୍ତି। 

ବର୍ତ୍ତମାନର ଜଡ଼ବାଦୀ ସଂସାରରେ କେବଳ ଭୌତିକ ସାଧନ ସାମଗ୍ରୀ କିମ୍ବା ବୈପ୍ଳବିକ ଉଦ୍ଭାବନ ଅପେକ୍ଷା ଆତ୍ମିକ ଚରିତ୍ର ନିର୍ମାଣ, ଦୈବୀ ସଂସ୍କାର ଓ ସତ୍ୟଯୁଗୀ ଦୈବୀ ସଂସାରର ନିର୍ମାଣ ଅତ୍ୟନ୍ତ ଆବଶ୍ୟକ।

ଏହି ଅଦ୍ବିତୀୟ ଓ ମହାନ୍ କର୍ତ୍ତବ୍ୟକୁ ବର୍ତ୍ତମାନ ସ୍ୱୟଂ ପରମପିତା ପରମାତ୍ମା ନିରାକାର ଜ୍ୟୋତିର୍ବିନ୍ଦୁ ଶିବ, ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ରୂପେ ସମ୍ପାଦନ କରୁଛନ୍ତି। ପ୍ରଜାପିତା ବ୍ରହ୍ମା ହିଁ ପ୍ରକୃତ ସଙ୍କଳ୍ପ-ସ୍ରଷ୍ଟା 'ବିଶ୍ଵକର୍ମା' ରୂପେ ନିଜ ଶ୍ରେଷ୍ଠ ସଙ୍କଳ୍ପ ଦ୍ବାରା ସୁବର୍ଣ୍ଣ ଯୁଗର ପୁନଃ ପ୍ରତିଷ୍ଠା କରୁଛନ୍ତି।

ଆମେ ସମସ୍ତେ ସେହି ପରମାତ୍ମାଙ୍କର ତଥା ପ୍ରଜାପିତା ବ୍ରହ୍ମା (ବିଶ୍ଵକର୍ମା)ଙ୍କର ଆତ୍ମିକ ସନ୍ତାନ। ତେଣୁ ଏହି ନବସୃଷ୍ଟି ନିର୍ମାଣର ପବିତ୍ର କାର୍ଯ୍ୟରେ ଆମେ ମଧ୍ୟ ସହଯୋଗୀ। 

ଚଳିତ ବିଶ୍ଵକର୍ମା ପୂଜାରେ କେବଳ ଫୁଲ-ଧୂପର ଆରତି କିମ୍ବା ପ୍ରସାଦ ବଣ୍ଟନରେ ସୀମିତ ନରହି, ନିଜ ଅନ୍ତରରେ ଦୈବୀ ସଂସ୍କାର ଧାରଣ କରି ଏକ ଶ୍ରେଷ୍ଠ ଦୈବୀ ସଂସାର ଗଠନରେ ନିଜର ମହତ୍ ଯୋଗଦାନ ଦେବା।