ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହ୍ୟାଣ୍ଡଲୁମ ର ବାର୍ଷିକ ବ୍ରାଣ୍ଡ ଆମ୍ବାସାଡାର I
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା "ଏକତା" କୁ ଉଦ୍ଘାଟନ କରି କହିଥିଲେ ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର 'ହସ୍ତତନ୍ତ କ୍ଷେତ୍ର' କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ "ରେଶା" ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଥିଲେ। ତତ୍ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ହସ୍ତତନ୍ତ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମୈଦାନ ଠାରେ ଚାଲିବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ |
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ମାଧୁରୀ ଦୀକ୍ଷିତ କହିଥିଲେ ଯେ ସେ ବୁଣାକାରଙ୍କ ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତି। ଏହି ଶିଳ୍ପ କେବଳ ବସ୍ତ୍ର ନୁହେଁ ପ୍ରତ୍ୟେକ ଓଡ଼ିଆର ପରିଚୟ ଏବଂ ଏହା ହିଁ ଓଡ଼ିଆ ଅସ୍ମିତା। ହସ୍ତତନ୍ତ କେବଳ ଜୀବିକା ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ |