ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ...

Mar 30, 2026 - 08:55
 4
ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ...

ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ...

“ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”

ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା, ସ୍ୱାଭିମାନ ଓ ଦେଶପ୍ରେମର ଅଦ୍ୱିତୀୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିଜର ନିର୍ଭୀକ ସଂଗ୍ରାମ ଓ ବଳିଦାନ ମାଧ୍ୟମରେ ଇତିହାସରେ ଅମର ଅବସ୍ଥାନ ଅଧିକାର କରିଛନ୍ତି। 

ଜନଜାତି ସମାଜର ଅଧିକାର ସୁରକ୍ଷା ଓ ପରାଧୀନତା ବିରୋଧରେ ତାଙ୍କର ଅବଦାନ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ଏକ ଗୌରବମୟ ଅଧ୍ୟାୟ ଭାବେ ସ୍ଥାନ ପାଇଛି ବୋଲି ଶ୍ରାଦ୍ଧ ଦିବସ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ମିଳିତ ସହଯୋଗରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ସାଂସଦ ଶ୍ରୀ ମୁଜିବୁଲ୍ଲା (ମୁନା) ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କ ଅଦମ୍ୟ ସାହସ, ଜନସେବାମୂଳକ ଚେତନା ଓ ଜନଜାତି ସମାଜ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। 

ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଅବଦାନ ଅସାଧାରଣ ଥିବା ସହ ଏହା ଆମ ସମାଜ ପାଇଁ ପ୍ରେରଣାଦାୟକ ବୋଲି ସେ ଉଲ୍ଲେଖ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି ଯୋଗଦେଇ ଲକ୍ଷ୍ମଣ ନାଏକଙ୍କ ସଂଗ୍ରାମ ଜନଜାତି ସମାଜର ସ୍ୱାଭିମାନକୁ ସୁଦୃଢ଼ କରିଥିବାରୁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟାୟ ଓ ଶୋଷଣ ବିରୋଧରେ ତାଙ୍କ ଲଢେଇ ଆଜିର ପିଢ଼ି ପାଇଁ ଦୃଢ଼ ପ୍ରେରଣା ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡଃ ସୋମା ଚାନ୍ଦ ଯୋଗଦେଇ ଲକ୍ଷ୍ମଣ ନାଏକଙ୍କୁ ଜଣେ ଲୋକନାୟକ ଭାବେ ବର୍ଣ୍ଣନା କରିଥିଲେ। 

ସେ ଜନଜାତିମାନଙ୍କୁ ସଙ୍ଗଠିତ କରି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସହ ଦେଶପ୍ରେମର ଚେତନାକୁ ସୁଦୃଢ଼ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ କରିଥିଲେ। 

ତାଙ୍କର ବଳିଦାନ ଓ ସେବାମୟ ଜୀବନ ସମାଜକୁ ସଦା ପଥପ୍ରଦର୍ଶନ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 

ଶବରୀ ସାଂସ୍କୃତିକ ସଂସଦର ସଭାପତି ଇଞ୍ଜିନିଅର ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ–ସାଂସ୍କୃତିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ଅଧିକାରୀ–କର୍ମଚାରୀ ଉପସ୍ଥିତ ଥିଲେ।