ସମନ୍ବିତ ରୋଡମ୍ୟାପ୍ ପ୍ରସ୍ତୁତି ନେଇ ଆଲୋଚନା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ବର, ୧୫/୫/୨୦୨୬
ଓଡ଼ିଶାରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟ ରଖ୍ ନୀଳ ଅର୍ଥନୀତି (ବ୍ଲୁ ଇକୋନୋମି) କ୍ଷେତ୍ରର ବିକାଶ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଗତ ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏ ସଂପର୍କରେ ଗତ ମାର୍ଚ୍ଚ ୧୩ ଓ ୧୪ ତାରିଖରେ ଭୁବନେଶ୍ବରେ ଆୟୋଜିତ ନୀଳ ଅର୍ଥନୀତି ସଂପର୍କିତ ବୈଦ୍ଧିକ ସମ୍ମିଳନୀ (ଗ୍ଲୋବାଲ ସମିଟ୍ ଅନ୍ ନୀଳ ଅର୍ଥନୀତି–୨୦୨୬) ର ସୁପାରିଶଗୁଡ଼ିକ ଆଧାରରେ ରାଜ୍ୟର ଏକ ସମନ୍ବିତ ନୀଳ ଅର୍ଥନୀତି ରୋଡମ୍ୟାପ୍ ପ୍ରସ୍ତୁତି କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ନୀଳ ଅର୍ଥନୀତି ସମୁଦ୍ର ସଂପଦକୁ ବିକାଶର ଇଂଜିନ୍ ଭାବେ ବିବେଚନା କରୁଛି । ଓଡିଶା ପାଇଁ ବଙ୍ଗୋପସାଗର ୫୭୫ କି.ମି. ସୁଦୀର୍ଘ ବେଳାଭୂମି ରହିଛି । ବ୍ଲୁ ଇକୋନୋମି ବିକଶିତ ଓଡ଼ିଶା ସହିତ ଏକ ସଂଯୋଜିତ ଦୃଷ୍ଟିକୋଣ, ଯାହା ସମୁଦ୍ର ଓ ସମୁଦ୍ରିକ ସମ୍ପଦର ଦାୟିତ୍ବପୂର୍ଣ୍ଣ ବ୍ୟବହାର ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ନିରନ୍ତର ଆର୍ଥିକ ଅଭିବୃଦ୍ଧି, ରୋଜଗାର ସୃଷ୍ଟି, ନୂଆ ନୂଆ ପଦକ୍ଷେପ, ଉପକୂଳ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଇଥାଏ ।
ବୈଠକରେ ରାଜ୍ୟରେ ବ୍ଲ ଇକୋନୋମି କ୍ଷେତ୍ରରେ ପଦକ୍ଷେପ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ନୋଡାଲ ବିଭାଗ ଭାବେ ମନୋନିତ କରାଯାଇଛି । ସରକାରଙ୍କ ବିଭିନ୍ନ ବିଭାଗର ସାମୁହିକ ପ୍ରୟାସରେ ସମନ୍ବିତ ଯୋଜନାରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ନିଆଯିବାକୁ ଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନ କରିଥିଲେ । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ସମେତ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଜଳ ସଂପଦ, ଶକ୍ତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ ଆଦି ବିଭାଗଙ୍କ ସମ୍ମିଳିତ ପ୍ରୟାସରେ ଏକ ସମ୍ମିଳିତ ପଦକ୍ଷେପ (କନଭରଜେନ୍ସ ଫ୍ରେମୱାର୍କ) ସ୍ଥାପନ କରାଯିବ । ଭୁବନେଶ୍ବର
ସିଟି ନଲେଜ ଇନୋଭେସନ କଷ୍ଟର (ବିସିକେଆଇସି) ନଲେଜ୍ ପାର୍ଟନର ଭାବେ ସହଯୋଗ କରିବ । ସମନ୍ବିତ ଯୋଜନା, ଭାଗିଦାରୀ ଧାର୍ଯ୍ୟ ଲକ୍ଷ୍ୟ ନେଇ ଏକ ବ୍ଲୁ ଇକୋନୋମି ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ନୀଳ ଅର୍ଥନୀତି ପ୍ରୟାସର ନିରୀକ୍ଷଣ ଓ ସମନ୍ୱୟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ଆନ୍ତଃ ବିଭାଗୀୟ ସମନ୍ୱୟ କରି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିଶେଷଜ୍ଞ, ଗବେଷଣା ସଂସ୍ଥା ଓ ବାୟୋ ଟେକ୍ନୋଲୋଜି ଉଦ୍ୟୋଗ ସଂଗଠନମାନଙ୍କୁ ନେଇ ଏକ “ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍" ଗଠନ କରାଯିବ ।
ବୈଠକରେ ରାଜ୍ୟରେ ଏକ “ନୀଳ ଅର୍ଥନୀତି ହବ୍ (ବି-ହବ୍)" ସ୍ଥାପନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏଥିରେ ଚିଙ୍ଗୁଡ଼ି ଚାଷକୁ ବୈଜ୍ଞାନିକ ଭାବେ ବିକାଶ କରିବା, ରପ୍ତାନି ଓ ଆୟ ବୃଦ୍ଧି ଏବଂ ଉପକୂଳ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ଉଦ୍ଦେଶ୍ୟରେ “ଓଡ଼ିଶା ଶ୍ରମ୍ପ ମିଶନ', ଗଭୀର ସମୁଦ୍ରରେ ମାଛ ଧରିବା(ଡିପ୍ ସି ଫିଶିଂ ମିଶନ), କୃତ୍ରିମ ପ୍ରବାଳ ସୃଷ୍ଟି, ସମୁଦ୍ର ଆଧାରିତ ମାଛ ଚାଷ, ସି-ୱିଡ୍ ଚାଷ, “ଫିଶର ଫ୍ରେଣ୍ଡ" ମୋବାଇଲ ଆପ୍ ମାଧ୍ଯମରେ ମତ୍ସ୍ୟଜୀବୀଙ୍କୁ ପାଣିପାଗ ଓ ସମୁଦ୍ର ସୂଚନା ପ୍ରଦାନ ଇତ୍ୟାଦି ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହା ସହିତ ଧାମରା, ପାରାଦୀପ, ଚାନ୍ଦିପୁର ଓ ଅସ୍ତରଙ୍ଗରେ ମାଛ ଧରା ବନ୍ଦରର ଆଧୁନିକୀକରଣ, ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ହାଇଜେନିକ୍ ହୋଲସେଲ ମାର୍କେଟ୍, ସମନ୍ବିତ ଆକ୍ସା ପାର୍କ ଓ ଉଚ୍ଚ ମୂଲ୍ୟଯୁକ୍ତ ପ୍ରଜାତିର ମାଛ, କଙ୍ଗଡ଼ା ହ୍ୟାଚେରୀ ଆଦି ସ୍ଥାପନ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ମଧ୍ଯ ଆଲୋଚନା ହୋଇଥିଲା ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଏ କ୍ଷେତ୍ରରେ ଆମେ କିପରି ଉଲ୍ଲେଖନୀୟ ପଦକ୍ଷେପ ନେଇ ଆଗକୁ ବଢ଼ି ପାରିବା, ଯାହାକି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ, ସେ ସଂପର୍କରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ସଂପୃକ୍ତ ସମସ୍ତ ବିଭାଗର ଯୋଗଦାନ ସଂପର୍କରେ ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଏକ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତିରେ ସହାୟକ ହେବ । ଏଥ୍ ପାଇଁ ସମନ୍ବୟ ନିମନ୍ତେ ସଂପୃକ୍ତ ପ୍ରତ୍ୟେକ ବିଭାଗରୁ ଜଣେ ଜଣେ ନୋଡାଲ ଅକାରୀ ମନୋନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ରଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।