ପଶ୍ଚିମ ବଙ୍ଗର ଝାଳମୂଦ୍ଧି ଦୋକାନୀ ଏବେ ବିପଦଗସ୍ତ...

May 23, 2026 - 09:58
 26
ପଶ୍ଚିମ ବଙ୍ଗର ଝାଳମୂଦ୍ଧି ଦୋକାନୀ ଏବେ ବିପଦଗସ୍ତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝାଲମୁଡ଼ି ଖୁଆଇ ଏବେ ବଡ଼ ଅସୁବିଧାରେ ପଡ଼ିଛନ୍ତି ଜଣେ ଗରିବ ଦୋକାନୀ। 

ପଶ୍ଚିମବଙ୍ଗର ଏହି ଝାଲମୁଡ଼ି ବିକ୍ରେତାଙ୍କୁ ଏବେ ପାକିସ୍ତାନ ଏବଂ ବାଂଲାଦେଶରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଦୋକାନୀ ଏବଂ ତାଙ୍କ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।*

ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ୍ ୧୯ ତାରିଖରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ସଭା ସାରି ଫେରିବା ବେଳେ ରାସ୍ତା କଡ଼ରୁ ବିକ୍ରମ ସାଉଙ୍କ ଦୋକାନରୁ ଝାଲମୁଡ଼ି ଖାଇଥିଲେ। ପ୍ରଧାନମନ୍ତ୍ରୀ ଏହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। 

ଏହାକୁ ନେଇ ବିଜେପି ଏବଂ ଟିଏମସି ମଧ୍ୟରେ ବଡ଼ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଥିଲା। କିନ୍ତୁ ଏହି ପ୍ରସିଦ୍ଧି ଏବେ ବିକ୍ରମଙ୍କ ପାଇଁ କାଳ ସାଜିଛି।*

ବିକ୍ରମଙ୍କ ପାଖକୁ ଗତ କିଛି ଦିନ ହେବ ପାକିସ୍ତାନ ଏବଂ ବାଂଲାଦେଶରୁ କ୍ରମାଗତ ଫୋନ୍ ଏବଂ ଭିଡିଓ କଲ୍ ଆସୁଛି। ଦୋକାନ ଉପରକୁ ବୋମା ମାଡ଼ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଏହି କଲ୍‌ରେ ଧମକ ଦିଆଯାଉଛି। 

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତେଜିଛି ଉତ୍ତେଜନା। ବିକ୍ରମ ସାଉ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। 

ଆନ୍ତର୍ଜାତୀୟ ନମ୍ବରରୁ ଆସିଥିବା ଏହି ଧମକପୂର୍ଣ୍ଣ କଲ୍‌ର ପୋଲିସ ଏବେ ଗମ୍ଭୀରତାର ସହ ତଦନ୍ତ ଆରମ୍ଭ କରିଛି।*