ଓଡ଼ିଶା ସରକାର-“ସେଲ୍କୋ” ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର...
ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ସମୃଦ୍ଧି, ସୁସ୍ଥତା ଏବଂ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ - ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା, ସ୍ୱାସ୍ଥ୍ୟ, ସ୍ୱଚ୍ଛ ଶକ୍ତି ଓ ଉଦ୍ୟୋଗିତା ଉପରେ ସହଯୋଗ
ଦକ୍ଷିଣ ଓଡ଼ିଶାରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଏବଂ “ସେଲ୍କୋ” ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ବିଭାଗର କମିଶନର-ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍. ଏବଂ “ସେଲ୍କୋ” ଫାଉଣ୍ଡେସନ୍ର ମୁଖ୍ୟ ଫାଇନାନ୍ସ ଅଧିକାରୀ ଶ୍ରୀ ଭି.କେ. ଜୋବି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ସହଯୋଗ କାର୍ଯ୍ୟକାରୀ ହେବ ।
ସ୍ଥାୟୀ ଜୀବିକା ଓ ସ୍ଥାନୀୟ ଅର୍ଥନୈତିକ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟି, ସ୍ୱଚ୍ଛ ଶକ୍ତି, ଜଳବାୟୁ ସହନଶୀଳ ବିକାଶ, ଆଦିବାସୀ ଜ୍ଞାନ ଓ ନବସୃଜନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ଭଳି କ୍ଷେତ୍ରରେ ମିଳିତ ଭାବେ ପଦକ୍ଷେପ ନିଆଯିବ ।
ଏହି ସହଯୋଗରେ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଜିଲ୍ଲା ପ୍ରଶାସନର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବ ।
ବିଦ୍ୟମାନ ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଯୁକ୍ତି, ବୈଷୟିକ ଜ୍ଞାନ, ନବସୃଜନ ଓ କ୍ଷମତା ବିକାଶର ଉପଯୋଗ କରାଯିବ ।
କୃଷକ, ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଯୁବବର୍ଗ, କାରିଗର, ଆଦିବାସୀ ସମୁଦାୟ, ଦିବ୍ୟାଙ୍ଗ ଏବଂ ଗ୍ରାମୀଣ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଜୀବିକା ଓ ଉଦ୍ୟୋଗିତାକୁ ବଜାର ସଂଯୋଗ, ପ୍ରଯୁକ୍ତି ଓ ଦକ୍ଷତା ବିକାଶ ମାଧ୍ୟମରେ ସୁଦୃଢ଼ କରାଯିବ ।
ସହଯୋଗର ଏକ ପ୍ରମୁଖ ଅଂଶ ଭାବେ ‘ସେବା ହବ୍’- ସେଣ୍ଟର ଫର ଏକ୍ସପର୍ଟାଇଜ୍ ଆଣ୍ଡ ଏନାବ୍ଲର୍ସ ଫର ରୁରାଲ ଟ୍ରାନ୍ସଫରମେସନ) ପ୍ରତିଷ୍ଠାର ପରିକଳ୍ପନା କରାଯାଇଛି ।
ଏହି କେନ୍ଦ୍ରଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଚିହ୍ନଟ, ବିଭିନ୍ନ ବିଭାଗ ଓ ସହଭାଗୀଙ୍କ ମଧ୍ୟରେ ସମନ୍ୱୟ, କ୍ଷମତା ବିକାଶ, ପ୍ରଯୁକ୍ତି ଓ ଅର୍ଥ ସୁବିଧା ସହ ଯୋଡ଼ିବା ଏବଂ ସଫଳ ପଦକ୍ଷେପର ବିସ୍ତାରରେ ସହାୟତା କରିବ ।
ଏହି ବୁଝାମଣାପତ୍ର ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ନିର୍ଦ୍ଦିଷ୍ଟ ପ୍ରକଳ୍ପ ଓ ପଦକ୍ଷେପର ଆବଶ୍ୟକତା ଅନୁଯାୟୀ ପୃଥକ ଯୋଜନା ଓ ବ୍ୟବସ୍ଥା ମାଧ୍ୟମରେ ସହଯୋଗକୁ ଆଗକୁ ନିଆଯିବ ।
ସମୁଦାୟର ଅଂଶଗ୍ରହଣ, ପ୍ରଯୁକ୍ତି, ନବସୃଜନ ଓ ବୈଷୟିକ ଜ୍ଞାନକୁ ସମନ୍ୱିତ କରି ଦକ୍ଷିଣ ଓଡ଼ିଶାରେ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବା ଏହି ସହଯୋଗର ମୁଖ୍ୟ ଲକ୍ଷ୍ୟ ।
ବୈଠକରେ ନୀତି ଆୟୋଗର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର, ଶୁଭ୍ରମନ୍ୟମ୍ ଏବଂ ସେଲ୍କୋ ଫାଉଣ୍ଡେସନର କର୍ତ୍ତୃପକ୍ଷ ଶ୍ରୀ ହରିଶ୍ ହାଣ୍ଡେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ପାଇଁ ଆମର ପ୍ରମୁଖ ୩ଟି ସ୍ତମ୍ଭ ରହିଛି । ତାହା ହେଲା ସମୃଦ୍ଧି, ସୁସ୍ଥତା ଏବଂ ସମାନତା ।
ଏହି ପରିପ୍ରେକ୍ଷୀରେ ଆଜିର ସ୍ୱାକ୍ଷର ହୋଇଥିବା ବୁଝାମଣାପତ୍ର ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମ୍ପର୍କିତ କାର୍ଯ୍ୟକ୍ରମର ଅଗ୍ରଗତି ପ୍ରତି ମାସରେ ସମୀକ୍ଷା କରିବା ସହିତ ମୁଖ୍ୟ ଶାସନ ସଚିବ ଙ୍କ ସ୍ତରରେ ବର୍ଷକୁ ୨ ଥର ସମୀକ୍ଷା ବୈଠକ କରାଯିବା ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନ ଦିଗରେ ଆମର ପ୍ରମୁଖ ୩ଟି ସ୍ତମ୍ଭ ହେଉଛି-ସମୃଦ୍ଧି, ସୁସ୍ଥତା ଓ ସମାନତା । ସମୃଦ୍ଧି ହାସଲ ପାଇଁ ସୁସ୍ଥ ମାନବ ସମ୍ବଳ ଏବଂ ସମାଜର ସମସ୍ତ ବର୍ଗଙ୍କ ପାଇଁ ସମାନ ସୁଯୋଗ ଓ ସମାବେଶୀ ବିକାଶ ଅପରିହାର୍ଯ୍ୟ ।
ତେଣୁ ସୁସ୍ଥତା ଓ ସମାନତା ହେଉଛି ସମୃଦ୍ଧିର ଦୁଇଟି ଅବିଚ୍ଛେଦ୍ୟ ଆଧାର । ଏହି ତିନୋଟି ଦିଗରେ ସମନ୍ୱିତ ଭାବେ ଆଗେଇ ଯାଇ ଏକ ସମୃଦ୍ଧ, ସୁସ୍ଥ ଓ ସମାନ ସୁଯୋଗଭିତ୍ତିକ ଓଡ଼ିଶା ଗଠନ ଦିଗରେ ମୁଖ୍ୟ ଶାସନ ଗୁରୁତ୍ୱାରୋପ କରିଥିଲେ ।
ଏହି ପରିପ୍ରେକ୍ଷୀରେ ସ୍ୱାକ୍ଷରିତ ବୁଝାମଣାପତ୍ର ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଏହି ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବୁଝାମଣାପତ୍ର ଅନୁଯାୟୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ପ୍ରତି ମାସରେ ସମୀକ୍ଷା କରାଯିବ ।
ଏଥିସହିତ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବର୍ଷକୁ ଦୁଇଥର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି