ମଣିଷ ୫ ପ୍ରକାର ରୃଣ ର ବଶବର୍ତ୍ତୀ ହୋଇଥାଏ|
ସାଧାରଣ ଜୀବନରେ ମଣିଷ ୫ ପ୍ରକାର ରୃଣ ର ବଶବର୍ତ୍ତୀ ହୋଇଥାଏ...
୧) ପିତୃଋଣ,
୨) ଦେବଋଣ,
୩) ଋଷିଋଣ,
୪) ଭୂତଋଣ,
୫) ନର ଋଣ।|
ଏହି ଋଣ ଗୁଡ଼ିକ କିପରି ପରିଶୋଧ କରା ଯାଇ ପାରିବ?
୧) ପିତୃଋଣ :
ବାପା, ମାଆ, ଜେଜେବାପା, ଜେଜେମା, ଅଜା,ଆଈ ପ୍ରଭୃତିଙ୍କ ମୃତ୍ୟୁ ପରେ ପରେ ଯେଉଁ କାର୍ଯ୍ୟ କରାଯାଏ, ସେସବୁ ପ୍ରେତକାର୍ଯ୍ୟ । ପରମ୍ପରାକ୍ରମେ ଶ୍ରାଦ୍ଧ-ତର୍ପଣ କରିବା, ପିଣ୍ଡଜଳ ଦେବା ଆଦି ପିତୃକାର୍ଯ୍ୟ। ମୃତ୍ୟୁପରେ ଜୀବ ଦେବତା, ମନୁଷ୍ୟ, ପଶୁ-ପକ୍ଷୀ, ଭୂତ-ପ୍ରେତ, ବୃକ୍ଷ-ଲତା ଆଦି ଯେଉଁ ଦେହ ପାଏ, ତାହାର ନାମ ପିତୃ।
ମାତା-ପିତାଙ୍କ ରଜବୀର୍ଯ୍ୟରୁ ଶରୀର ତିଆରି ହୁଏ। ମାତୃ-ଦୁଗ୍ଧ ଓ ପିତାଙ୍କ ଅର୍ଜିତ ଅନ୍ନରୁ ଦେହର ପାଳନପୋଷଣ ହୁଏ I ପିତାଙ୍କ ଧନରୁ ଶିକ୍ଷା ଓ ଯୋଗ୍ୟତା ଲାଭ ହୁଏ । ମାତା-ପିତାଙ୍କ ଉଦ୍ୟମରୁ ବିବାହ ହୁଏ I ଏହିରୂପେ ପୁତ୍ର ଉପରେ ମାତା-ପିତାଙ୍କ ଋଣ ରହେ । ତାଙ୍କର ଜୀବନ କାଳରେ ଉପଯୁକ୍ତ ସେବା ଶୁଶ୍ରୁଷା କରିବା ପୁଅଝିଅର ମୁଖ୍ୟ କର୍ତ୍ତବ୍ୟ। ବଂଶପରମ୍ପରା କ୍ରମେ ରହି ଆସୁଥିବା ଏହି ପିତୃଋଣରୁ ମୁକ୍ତ ହେବା ନିମନ୍ତେ ଓ ସେମାନଙ୍କର ସଦଗତି ନିମନ୍ତେ ପିତୃପୁରୁଷଙ୍କ ନାମରେ ଶ୍ରଦ୍ଧତର୍ପଣ କରିବା ବା ପିଣ୍ଡଜଳ ଦେବା ଆବଶ୍ୟକ।
ପୁତ୍ର ମାତା-ପିତାଙ୍କ ନାମରେ ଆଜୀବନ ପିଣ୍ଡଦାନ କରେ। ପରବର୍ତ୍ତୀ ସମୟରେ ସନ୍ତାନ ଜାତ କରି ଏହି ପିଣ୍ଡଦାନ କ୍ରିୟା ଅବ୍ୟାହତ ନ ରଖିଲେ ସେ ପିତୃଋଣରୁ ମୁକ୍ତ ହୁଏ ନାହିଁ I ସନ୍ତାନ ଜାତ ହେବା ପରେ ପିତୃରଣ ସନ୍ତାନ ଉପରକୁ ଆସିଯାଏ I ପିତୃପୁରୁଷମାନେ ପିଣ୍ଡପାଣି ପାଇଁ ଆଶା ରଖିଥାନ୍ତି । ପୁତ୍ରର ସନ୍ତାନ ନ ହେଲେ ପିଣ୍ଡ ନ ମିଳିବା ଆଶଙ୍କାରେ ସେମାନେ ଦୁଃଖୀ ହୁଅନ୍ତି I ପିଣ୍ଡ ପାଇଲେ ପିତୃପୁରୁଷ ତୃପ୍ତ ହୁଅନ୍ତି । ତେଣୁ ସନ୍ତାନ ଲାଭ କରି ପରମ୍ପରା ରକ୍ଷା କରିବା ଉଚିତ |
ତେବେ ପିତୃପୁରୁଷଙ୍କ ନାମରେ ଦିଆଯାଉଥିବା ପଦାର୍ଥ ସେମାନଙ୍କୁ ମିଳେ କି ?
ହଁ, ମିଳେ । ମୃତ୍ୟୁପରେ ସେମାନେ ଯେକୌଣସି ଦେହ ଲାଭ କଲେ ସୁଦ୍ଧା, ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ଆବଶ୍ୟକ ହେଉଥିବା ଖାଦ୍ୟପଦାର୍ଥ ରୂପରେ ପ୍ରାପ୍ତ ହୁଏ । କେହି ପଶୁଦେହ ପାଇଥିଲେ ପିଣ୍ଡ ଘାସ ହୋଇଯାଏ । କେହି ଦେବ ଦେହକୁ ଗଲେ ପିଣ୍ଡ ଅମୃତ ହୋଇଯାଏ । କେହି ଆମ ଦେଶରୁ ମନିଅର୍ଡର ଯୋଗେ ଟଙ୍କା ଆମେରିକାକୁ ପଠାଇଲେ, ତାହା ଯେପରି #ଡଲାର (DOLLAR ) ହୋଇ ନିର୍ଦ୍ଦିଷ୍ଟ ଲୋକକୁ ମିଳେ, ପିତୃପୁରୁଷଙ୍କ ନାମରେ ଦିଆଯାଇଥିବା ପିଣ୍ଡଜଳ ଓ ଅନ୍ୟାନ୍ୟ ଦ୍ରବ୍ୟଦାନକୁ ସେହିଭଳି ବୁଝିବାକୁ ହେବ
ଆଜି ଆମ୍ଭମାନଙ୍କୁ ଯେଉଁ ଅନ୍ନ-ବସ୍ତ୍ର ଆଦି ମିଳୁଅଛି, ତାହା ଆମର ପୂର୍ବକୃତ ପୁଣ୍ୟର ଫଳ ହୋଇପାରେ ଅଥବା ଆମ ପୂର୍ବଜନ୍ମର ପୁତ୍ରପୌତ୍ରାଦିଙ୍କ ଶ୍ରାଦ୍ଧ-ତର୍ପଣର ଫଳ ମଧ୍ୟ ହୋଇପାରେ। ଯାହା ହେଲେ ବି ଏହା ଆମର ପ୍ରାରବ୍ଧ।
ମନେକର କୌଣସି ବ୍ୟକ୍ତି ବ୍ୟାଙ୍କରେ ଲକ୍ଷେ ଟଙ୍କା ଜମା ରଖିଛନ୍ତି— କିଛି ନିଜ ନାମରେ, କିଛି ପତ୍ନୀଙ୍କ ନାମରେ ଓ କିଛି ପୁତ୍ର ନାମରେ । କେବଳ ନିଜ ନାମରେ ଜମା ରଖିଥିବା ଟଙ୍କା ହିଁ ସେ ଉଠାଇ ପାରିବେ, ପୁତ୍ର ବା ସ୍ତ୍ରୀର ଟଙ୍କା ନୁହେଁ।
ସେହିପରି ପିତୃପୁରୁଷଙ୍କ ନାମରେ ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ହିଁ ମିଳେ, ଆମକୁ ନୁହେଁ । ଅବଶ୍ୟ, ଜୀବିତ ଥିବା ସମୟରେ ଗୟାକୁ ଯାଇ ନିଜ ନାମରେ ପିଣ୍ଡ ଦେଲେ ମୃତ୍ୟୁପରେ ତାହା ନିଜକୁ ମିଳିଥାଏ । ଗୟାରେ ପଶୁ-ପକ୍ଷୀଙ୍କ ନାମରେ ଦିଆଯାଉଥିବା ପିଣ୍ଡ ମଧ୍ୟ ସେମାନଙ୍କୁ ମିଳେ।
ଜଣେ ବ୍ୟକ୍ତି ତାଙ୍କ ଗାଈକୁ ବହୁତ ସ୍ନେହ କରୁଥିଲେ। ଗାଈ ମରିଯିବା ପରେ ସେହି ବ୍ୟକ୍ତିଙ୍କୁ ସ୍ଵପ୍ନରେ ଗାଈ ଦୁଃଖୀ ଥିବା ପରି ଦେଖାଗଲା। ଗୟା ଯାଇ ସେ ଗାଈ ନାମରେ ପିଣ୍ଡ ଦେଲେ। ଏହା ଫଳରେ ସେ ସ୍ଵପ୍ନାବସ୍ଥାରେ ଗାଈ ଅତି ପ୍ରସନ୍ନ ଥିବାର ଦେଖିଲେ ।
ଆମ ପାଖରେ ଥିବା ଧନ ମଧ୍ୟରୁ କିଛି ଆମର ନିଜ ଅର୍ଜିତ ଏବଂ ଆଉ କିଛି ଆମ ପୂର୍ବପୁରୁଷଙ୍କ ଅର୍ଜିତ। ସ୍ବ- ଅର୍ଜିତ ଧନ ଉପରେ ଆମର ଅଧିକାର ଅଛି, ପୂର୍ବପୁରୁଷଙ୍କ ଧନ ଉପରେ ଆମର ସେତେ ଅଧିକାର ନାହିଁ ।
ବଂଶପରମ୍ପରା କ୍ରମରେ ପୂର୍ବପୁରୁଷଙ୍କ ଧନ ଉପରେ ଆମ ପୁତ୍ରପୌତ୍ରଙ୍କ ଅଧିକାର ରହିଛି।
ଏଣୁ ସେମାନଙ୍କ ଦ୍ବାରା ପ୍ରଦତ୍ତ ପିଣ୍ଡ ପିତୃପୁରୁଷଙ୍କୁ ମିଳେ।
ମୃତ୍ୟୁପରେ ସମସ୍ତେ ଯେ ପିତୃଲୋକକୁ ଯାଆନ୍ତି, ଏପରି କୌଣସି ନିୟମ ନାହିଁ। ନିଜ ନିଜ କର୍ମ ଅନୁସାରେ ଗତି ଓ ଫଳ ମିଳେ।
ଯଦି କାହାର ମାତା-ପିତା ମୁକ୍ତ ହୋଇ ପରମଧାମକୁ ଚାଲିଯାଇଥାନ୍ତି, ତାହାହେଲେ ତାଙ୍କ ନାମରେ ଦିଆଯାଉଥିବା ପିଣ୍ଡ କ'ଣ ହେବ ?
ମାତା-ପିତା ମୁକ୍ତ ହୋଇ ପରମଧାମକୁ ଯିବାବିଷୟ ପୁତ୍ରକୁ ଗୋଚର ହୁଏ ନାହିଁ | ପରନ୍ତୁ ପୁତ୍ର ଆଦରପୂର୍ବକ ସେମାନଙ୍କ ନାମରେ ଯେଉଁ ପିଣ୍ଡଦାନ କରେ ବା ଦାନପୁଣ୍ୟ କରେ, ସେସବୁ ତା’ ନିଜ ନାମରେ ଜମା ହୋଇ ରହେ ଓ ମୃତ୍ୟୁପରେ ତାକୁ ମିଳେ। ଧରାଯାଉ ଆମେ ଆମର ବନ୍ଧୁଙ୍କ ନିକଟକୁ ବମ୍ବେ ଠିକଣାରେ ଟଙ୍କା ପଠାଇଲୁ। ସେ ସେଠାରେ ନ ଥିଲେ ଟଙ୍କା ଆମ ପାଖକୁ ନିଶ୍ଚୟ ଫେରି ଆସିବ ।
୨) ଦେବଋଣ :
ବର୍ଷା, ଉତ୍ତାପ ଓ ବାୟୁ ଯୋଗୁଁ ଆମେ ବଞ୍ଚିଛୁ।ପୃଥିବୀ ଆମମାନଙ୍କୁ ଧାରଣ କରିଛି। ଦିନରେ ସୂର୍ଯ୍ୟ ଓ ରାତ୍ରିରେ ଚନ୍ଦ୍ର ଆଲୋକ ଦେଉଛନ୍ତି। ସମସ୍ତଙ୍କ ଉପରେ ଆମର ଜୀବନ ନିର୍ଭର କରୁଛି। ଏସବୁ ଆମର ଦେବଋଣ। ହୋମ-ଯଜ୍ଞ ଆଦି ଦ୍ବାରା ଏହି ଦେବତାମାନେ ତୁଷ୍ଟ ହୁଅନ୍ତି ଓ ଆମେ ଦେବଋଣରୁ ମୁକ୍ତ ହେଉ। ଗୋଟିଏ କଥା ଜାଣନ୍ତୁ ଯେ ବର୍ତ୍ତମାନ ଯେତେ ବନସ୍ପତି ( କ୍ଷୀର ବିନା ତିଆରି ଘିଅ) ତିଆରି ନକଲି ଘିଅ ମିଳୁଛି, ସେ ସବୁଠାରୁ ସର୍ବୋକୃଷ୍ଟ ହେଉଛି ଦେଶୀ ଗାଈର କ୍ଷୀରରୁ ତିଆରି ଘିଅ ଗୁଆ ଘିଅ। ଏହାଦ୍ବାରା ହୋମଯଜ୍ଞ କଲେ ବାୟୁମଣ୍ଡଳ ଶୁଦ୍ଧ ହେବା ସହିତ ଓଜନ ସ୍ତରରେ ହୋଇଥିବା କଣା ବା ରନ୍ଧ୍ର ବନ୍ଦ ହେବା ସହିତ ଦେବତା ମାନେ ବି ସନ୍ତୁଷ୍ଟ ହୁଅନ୍ତି। ଫଳ ସ୍ଵରୁପ ବର୍ଷା ସଠିକ ଭାବେ ହୁଏ । ଦେଶୀ ଗାଈର କ୍ଷୀର ସାତ୍ତ୍ୱିକ,ଜର୍ସି ଗାଈର କ୍ଷୀର ରାଜସିକ ଓ ମଇଁଷି କ୍ଷୀର ତାମସିକ ଅଟେ |
ସତ୍ମାର୍ଗରେ ଧନ ଅର୍ଜନ କରି ଯଜ୍ଞ କଲେ ସୁଫଳ ମିଳିଥାଏ ଅସତ୍ ମାର୍ଗରୁ ନୁହେଁ ।
୩) ଋଷିଋଣ :
ଋଷି, ମୁନି, ସନ୍ଥ ମହାତ୍ମାମାନେ ଯେଉଁ ସଦ୍ଗ୍ରନ୍ଥ ଲେଖିଯାଇଛନ୍ତି, ସେଥିରୁ ଆମ୍ଭମାନଙ୍କୁ କର୍ତ୍ତବ୍ୟ ଅକର୍ତ୍ତବ୍ୟର ଜ୍ଞାନ ମିଳେ, ସତ୍ଶିକ୍ଷା ପ୍ରାପ୍ତ ହୁଏ । ସେସବୁ ଆମ ଉପରେ ଋଣ । ସେମାନଙ୍କ ଗ୍ରନ୍ଥ ସ୍ବାଧ୍ୟାୟ (ଶାସ୍ତ୍ର ଅଧ୍ୟୟନ) କରିବା, ସଂଧ୍ୟା ଗାୟତ୍ରୀ ଆଦି ଅନୁଷ୍ଠାନ କରିବା ଦ୍ବାରା ଋଷିଋଣ ପରିଶୋଧ କରାଯାଏ।
୪) ଭୂତରଣ :
ଗାଈ, ଛେଳି, ଘୋଡ଼ା ଆଦି ପ୍ରାଣୀ ଆମର ଜୀବନ ନିର୍ବାହରେ ସହାୟକ ଅଟନ୍ତି । ସେହିପରି ବୃକ୍ଷଲତା ପ୍ରଭୃତି ଆମକୁ ପତ୍ର, ଫୁଲ, ଫଳ, କାଠ ଆଦି ଯୋଗାଇ ଦିଅନ୍ତି । ଆମ ଉପରେ ଏସବୁ ଋଣ ରହିଛି। ପଶୁ-ପକ୍ଷୀମାନଙ୍କୁ ଘାସ, ଖାଦ୍ୟ, ଜଳ ଆଦି ଦେବା ଏବଂ ବୃକ୍ଷଲତାକୁ ସାର, - ଜଳ ଆଦି ଦେବା ଦ୍ଵାରା ଆମେ ଭୂତଋଣ ପରିଶୋଧ କରୁ ।
୫)ମନୁଷ୍ୟ ରୃଣ :-
ସମସ୍ତଙ୍କ ସାହାଯ୍ୟରୁ ଆମେ ଜୀବନନିର୍ବାହ କରୁଅଛୁ | ଆମ ପାଇଁ କେହି ସଡ଼କ ତିଆରି କରିଛନ୍ତି, କେହି କୂପ-ପୁଷ୍କରିଣୀ ଖୋଦନ କରିଛନ୍ତି, କେହି ବୃକ୍ଷରୋପଣ କରିଛନ୍ତି, କେହି ଖାଦ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତି—ଏସବୁ ଆମ ଉପରେ ସେମାନଙ୍କ ଋଣ | ଅନ୍ୟମାନଙ୍କର ସୁଖ-ସୁବିଧା ପାଇଁ ଆମେ କୂପ, ପୁଷ୍କରିଣୀ ଖୋଦନ କଲେ, ସଡ଼କ, ଉପବନ, ଧର୍ମଶାଳା ଆଦି ନିର୍ମାଣ କଲେ, ଅନ୍ନଛତ୍ର ଖୋଲିଲେ ଆମେ ମନୁଷ୍ୟଋଣ ପରିଶୋଧ କରିପାରିବା।
"ପିତୃଋଣ,ଦେବଋଣ,ଋଷିଋଣ, ଭୂତଋଣ ଓ ମନୁଷ୍ୟଋଣ"
ଏହି ପାଞ୍ଚ ଋଣ ପରିଶୋଧ କରିବା ପ୍ରତ୍ୟେକ ଗୃହସ୍ଥ ମନୁଷ୍ୟର କର୍ତ୍ତବ୍ୟ । କେବଳ ପିତୃୠଣ ନାରୀଙ୍କ ଉପରେ ଲାଗେ ନାହିଁ ।
ଯେଉଁମାନେ ସର୍ବତୋଭାବେ ପ୍ରଭୁଙ୍କ ଠାରେ ଶରଣାପନ୍ନ, ସେମାନେ ପିତୃ, ଦେବ ଆଦି କାହାର ଋଣୀ ହୁଅନ୍ତି ନାହିଁ। ସେମାନେ ସବୁ ଋଣରୁ ମୁକ୍ତି ପାଆନ୍ତି ।
ସନ୍ତାନ ଉତ୍ପନ୍ନ ନ କରି କଣ ବ୍ୟକ୍ତି ପିତୃଋଣରୁ ମୁକ୍ତ ହୋଇ ପାରିବ କି ନାହିଁ ?
ହଁ, ମୁକ୍ତ ହୋଇ ପାରିବ |
ଯେଉଁ ବ୍ୟକ୍ତି ସର୍ବଥା ପ୍ରଭୁଙ୍କ ଠାରେ ଶରଣାପନ୍ନ , ତା’ଉପରେ କୌଣସି ଋଣ ରହେ ନାହିଁ—
ଦେବର୍ଷି ଭୂତାପ୍ତନୃଣାଂ ପିତୃଣାଂ ନ କିଙ୍କରୋ ନାୟମୃଣୀ ଚ ରାଜନ୍ ।
ସର୍ବାତ୍ମନା ଯଃ ଶରଣ୍ୟଂ ଶରଣ୍ୟ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତ୍ତମ୍ ॥ (ଶ୍ରୀମଦ୍ଭାଗବତଗୀତା ୧୧/୫/୪୧)
‘‘ରାଜନ୍! ଯେଉଁ ବ୍ୟକ୍ତି ସମସ୍ତ କାର୍ଯ୍ୟ ଛାଡ଼ି ପୂର୍ଣ୍ଣରୂପେ ଭଗବାନଙ୍କ ଠାରେ ଶରଣାପନ୍ନ, ସେ ଦେବତା, ଋଷି, ପ୍ରାଣୀ, କୁଟୁମ୍ବଜନ ଓ ପିତୃଗଣ କାହାର ଋଣୀ ରହେ ନାହିଁ, କାହାର ଅଧୀନସ୍ଥ ହୁଏ ନାହିଁ।’’
ମନୁଷ୍ୟ ଯେବେ ଶରୀର ପ୍ରାପ୍ତ କରେ , ସେତେବେଳେ ସେ ପାଞ୍ଚଜଣଙ୍କର ୠଣୀ ହୁଏ। ଦେବତା, ଋଷି , ପିତାମାତା, ଭୂତଋଣ ଓ ମନୁଷ୍ୟ ଋଣ । ଏହି ପାଞ୍ଚ ଜଣଙ୍କର ଯେଉଁ ମନୁଷ୍ୟ ୠଣ ନ ସୁଝି ମୃତ୍ୟୁବରଣ କରେ ସେ ନର୍କଗାମୀ ହୁଏ ।